ଶାନ୍ତିପୂର୍ଣ୍ଣରେ ସରିଲା ଆଠଗଡ ନିର୍ବାଚନ

athagarh election

ମେଟ୍ରୋ ଟିଭି ଓଡିଶା (୨୩ .୨.୨୦୨୨) : ଆଠଗଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ କାଁ ଭାଁ ଉତ୍ତେଜନାକୁ ଛାଡିଦେଲେ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଥିବାବେଳେ ମତଦାନ ରେକର୍ଡ ୮୫% ହୋଇଥିବା ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ସୁତ୍ରରୁ ପ୍ରକାଶ। ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ପୂର୍ବରୁ ଅଧିକାଂଶ ବୁଥରେ ଲୋକଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା। ଲୋକଙ୍କ ମଧ୍ୟରେ ନିର୍ବାଚନ ଓ ଭୋଟଦାନକୁ ନେଇ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଠଗଡର ୩୪ଟି ପଞ୍ଚାୟତର ୪୮୬ଭୋଟ ଗ୍ରହଣ କେନ୍ଦ୍ରରେ ଗତକାଲି ଅପରାହ୍ନ ସୁଦ୍ଧା ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ପୁଲିସ ପହଞ୍ଚି ମଙ୍ଗଳବାର ମତଦାନ ପାଇଁ ପ୍ରସ୍ତୁତି କରିଥିଲେ।

ଏହି ବ୍ଲକର ୩ଟି ଜିଲ୍ଲାପରିଷଦ ଜୋନରେ ମୋଟ ୧୧ଜଣ ପ୍ରାର୍ଥୀ, ୩୪ଟି ପଞ୍ଚାୟତ ମଧ୍ୟରୁ ୩୩ଟି ପଞ୍ଚାୟତରେ ୧୩୫ସରପଞ୍ଚ ପ୍ରାର୍ଥୀ, ୨୭ଟି ପଞ୍ଚାୟତରେ ୮୦ଜଣ ସମିତିସଭ୍ୟ ପ୍ରାର୍ଥୀ ଏବଂ ୨୧୮ ୱାର୍ଡ ସଭ୍ୟ ଆସନ ପାଇଁ ୪୭୨ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ୍‍ ହୋଇଯାଇଛି। ଆଠଗଡର ମୋଟ ୧୧୩୩୭୭ଭୋଟରଙ୍କ ମଧ୍ୟରୁ ୫୦୦୦୦ପୁରୁଷ ଓ ୪୫୮୫୫ଜଣ ମହିଳାଙ୍କୁ ମିଶାଇ ମୋଟ ୯୫୮୫୫ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଧାଗୋବିନ୍ଦପୁର ବୁଥରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପୂର୍ବତନ ବିଧାୟକ ରମେଶ ରାଉତ ଏବଂ ଖୁଣ୍ଟୁକଟା ପଞ୍ଚାୟତର ଦର୍ଶନପୁର ବୁଥରେ ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ ବିରୋଧି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଶାସକ ଦଳ ଦ୍ୱାରା ସେମାନଙ୍କ ଏଜେଣ୍ଟଙ୍କୁ ବୁଥରୁ ଜୋର ଜବରଦସ୍ତ ବାହାର କରିଦେଇ ବୁଥ ଜବରଦଖଲ କରି ମନଇଚ୍ଛା ନିଜ ସମର୍ôଥତ ପ୍ରାର୍ଥୀଙ୍କୁ ଭୋଟ ଦାନ କରିଥିବାନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ସେମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଅଭିଯୋଗ କରିବେ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏବଂ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ ପ୍ରକାଶ କରିଛନ୍ତି