ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ପରଲୋକ

ଆଉ ନାହାଁନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ  । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି ।  ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକ ପ୍ରିୟ ଜନ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଯୋଗୁ ରାଜ୍ୟ ଜଣେ ଅମାୟିକ ଜନ ସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ଅନନ୍ତ ଦାସ ୧୯୪୦ ମସିହାର ଅଗଷ୍ଟ ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।  ବାପା କାର୍ତ୍ତିକ ଚନ୍ଦ୍ର ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର । ତାଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।  ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୮,୫୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧,୬୮୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୮୫ ବର୍ଷ ବୟସରେ ଆଖିବୁଜିଛନ୍ତି ଅନନ୍ତ । ମୃତ୍ୟୁ ନେଇ ପୁଅ ବିଶ୍ବଜିତ୍‌  ଦାସ ଦେଲେ ସୂଚନା । ଭୋଗରାଇର ପୂର୍ବତନ ବିଧାୟକ ଥିଲେ ଅନନ୍ତ ଦାସ । ବିଧାନସଭାକୁ  ୪ ଥର ହୋଇଥିଲେ ନିର୍ବାଚିତ । ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ  ବିଧାୟକ ଥିଲେ ଅନନ୍ତ ।  ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗରେ ମନ୍ତ୍ରୀ ଥିଲେ ଅନନ୍ତ ଦାସ । ଏହା ସହି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଜଣେ ଦକ୍ଷ ସଂଗଠକ ସହ ବାଲେଶ୍ବର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଥିଲେ ଅନନ୍ତ । ଅନେକ ସମୟରେ ସେ ଦଳ ପାଇଁ ସଂଗଠନ ଦାୟିତ୍ବ ତୁଲାଇ ସଫଳ ହୋଇଛନ୍ତି । ବାଲେଶ୍ବରରେ ବିଜେଡିକୁ ଶକ୍ତିଶାଳୀ କରିବାରେ ତାଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା ।

ଅନନ୍ତ ଦାସ  ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।