ବାଲିରେ ଭାରତର ଦବଦବା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲିରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ବହୁ ବିଶ୍ବ ନେତାଙ୍କ ସହ ଆଲୋଚନା କରିଥିଲେ । ବାଲିରେ ଭାରତର ଦବଦବା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କୁ ଭେଟିଥିଲେେ ମୋଦି । ଉଭୟ ନେତା ବିସ୍ତୃତ ରଣନୀତିକ ସହଯୋଗ ଏବଂ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନିୟମିତ ଭାବରେ ଚାଲିଥିବା ଉଚ୍ଚ ସ୍ତରୀୟ ପାରସ୍ପରିକ ସମ୍ପର୍କ ନେଇ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରତିରକ୍ଷା, ବାଣିଜ୍ୟ, ଶିକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଗଭୀର କରିବାରେ ସେମାନେ ଅଗ୍ରଗତିର ସମୀକ୍ଷା କରିଥିଲେ । ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନିକ ସହଭାଗିତା, ବିଶେଷକରି ଉଚ୍ଚଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ତାଲିମ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।
ନେତାମାନେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ, ଯେଉଁଥିରେ ଏକ ସ୍ଥିର ତଥା ଶାନ୍ତିପୂର୍ଣ୍ଣ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଜଳବାୟୁ ସମ୍ବନ୍ଧୀୟ ବିଷୟ ଏବଂ ଭାରତର ଜି୨୦ ଅଧ୍ୟକ୍ଷତା ପାଇଁ ସେମାନଙ୍କର ଅଂଶିଦାର ଦୃଷ୍ଟିକୋଣ ସାମିଲ ଥିଲା ।
ସେହିପରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିଥିଲେ । ଦୁଇ ନେତା ପ୍ରତିରକ୍ଷା, ବେସାମରିକ ଆଣବିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି । ଆର୍ଥିକ ଯୋଗଦାନର ନୂତନ କ୍ଷେତ୍ରରେ ସହଯୋଗର ଗଭୀରତାକୁ ସେମାନେ ସ୍ୱାଗତ କରିଛନ୍ତି ।
ପାରସ୍ପରିକ ସ୍ୱାର୍ଥ ଜଡିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ବାଲିଠାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେଇ କହିଥିଲେ ଯେ ଡିଜିଟାଲ୍ ରୂପାନ୍ତର ଆମ ସମୟର ସବୁଠାରୁ ଉଲ୍ଲେଖନୀୟ ପରିବର୍ତ୍ତନ । ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ୟତା ବିରୋଧରେ ଲଢ଼େଇରେ ଡିଜିଟାଲ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର ଏକ ଶକ୍ତି ଗୁଣନକାରୀ ହୋଇପାରେ । ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼େଇରେ ଡିଜିଟାଲ୍ ସମାଧାନ ମଧ୍ୟ ସହାୟକ ହୋଇପାରେ – ଯେମିତି ଆମେ ସମସ୍ତେ କୋଭିଡ୍ ସମୟରେ ଦୂରରେ ରହି କାର୍ଯ୍ୟ କରୁଥିବା ଏବଂ କାଗଜବିହୀନ ସବୁଜ କାର୍ଯ୍ୟାଳୟର ଉଦାହରଣ ଗୁଡିକ ଆକାରରେ ଦେଖିଥିଲୁ । କିନ୍ତୁ ଏହି ସୁବିଧା କେବଳ ସେତିକି ବେଳେ ହାସଲ ହୋଇ ପାରିବ ଯେତେବେଳେ ଡିଜିଟାଲ୍ ଉପଲବ୍ଧତା ପ୍ରକୃତରେ ଅନ୍ତର୍ଭୁକ୍ତିମୂଳକ ହେବ ଏବଂ ଯେତେବେଳେ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର ପ୍ରକୃତରେ ବ୍ୟାପକ ହେବ । ଦୁର୍ଭାଗ୍ୟବଶତଃ , ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ଶକ୍ତିଶାଳୀ ସାଧନକୁ କେବଳ ସାଧାରଣ ବ୍ୟବସାୟର ମାନଦଣ୍ଡ ଦୃଷ୍ଟିକୋଣରୁ ଦେଖିଛୁ, ଏହି ଶକ୍ତିକୁ ଲାଭ ଏବଂ କ୍ଷତିର ହିସାବ ଖାତା ବା ଲେଜରରେ ବାନ୍ଧି ରଖିଛୁ । ଏହା ଆମର ଜି – ୨୦ ନେତା ମାନଙ୍କର ଦାୟିତ୍ୱ ଅଟେ ଯେ , ଡିଜିଟାଲ୍ ରୂପାନ୍ତରର ଲାଭ ମାନବ ଜାତିର ଏକ ଛୋଟ ଅଂଶରେ ଯେପରି ସୀମିତ ନରହେ ।
ବିଗତ କିଛି ବର୍ଷର ଭାରତର ଅଭିଜ୍ଞତା ଆମକୁ ଦର୍ଶାଇଛି ଯେ . ଯଦି ଆମେ ଡିଜିଟାଲ୍ ସ୍ଥାପତ୍ୟକୁ ଅନ୍ତର୍ଭୁକ୍ତିମୂଳକ କରିବୁ, ତା’ହେଲେ ଏହା ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣି ପାରିବ । ଡିଜିଟାଲ୍ ବ୍ୟବହାରରେ ବ୍ୟାପକତା ଏବଂ ଗତି ଅଣା ଯାଇପାରେ । ଶାସନରେ ସ୍ୱଚ୍ଛତା ଅଣାଯାଇ ପାରିବ । ଭାରତ ଡିଜିଟାଲ୍ ସାଧାରଣ ସାମଗ୍ରୀର ବିକାଶ କରିଛି , ଯାହାର ମୌଳିକ ସ୍ଥାପତ୍ୟରେ ଗଣତାନ୍ତ୍ରିକ ନୀତି ରହିଛି । ଏହି ସମାଧାନ ଗୁଡ଼ିକ ମୁକ୍ତ ଉତ୍ସ, ମୁକ୍ତ ଏପିଆଇ ସମୂହ , ଖୋଲା ମାନକ ଗୁଡିକ ଉପରେ ଆଧାରିତ ଅଟେ , ଯାହା ପାରସ୍ପରିକ ଭାବେ କାର୍ଯ୍ୟକ୍ଷମ ଏବଂ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ । ଭାରତରେ ଚାଲିଥିବା ଡିଜିଟାଲ ବିପ୍ଳବ ଉପରେ ଆଧାର କରି ଏହା ହେଉଛି ଆମର ଆଭିମୁଖ୍ୟ । ଉଦାହରଣ ସ୍ୱରୂପ, ଆମର ୟୁନିଫାଏଡ୍ ପେମେଂଟ ଇଂଟରଫେସ୍ (ୟୁପିଆଇ)କୁ ନିଆ ଯାଇପାରେ ।
ମୋଦି କହିଥିଲେ ଗତ ବର୍ଷ, ବିଶ୍ୱର ୪୦% ରୁ ଅଧିକ ରିଅଲ୍ ଟାଇମ୍ ପେମେଂଟ (ବାସ୍ତବ ସମୟର ଦେୟ) କାରବାର ୟୁପିଆଇ ମାଧ୍ୟମରେ ହୋଇଥିଲା । ସେହିଭଳି ଡିଜିଟାଲ ପରିଚୟ ଆଧାରରେ ଆମେ ୪୬୦ ମିଲିୟନ୍ ନୂତନ ବ୍ୟାଙ୍କ ଆକାଉଂଟ ଖୋଲିଛୁ, ଯାହା ଆଜି ଭାରତକୁ ବିଶ୍ୱରେ ଅର୍ଥନୈତିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିଚିତ କରାଇଛି । ଆମର ମୁକ୍ତ ଉତ୍ସ କୋ-ୱିନ ପ୍ଲାଟଫର୍ମ ମାନବ ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନ କରିଥିଲା, ମହାମାରୀ ସମୟରେ ମଧ୍ୟ ଏହା ଆମର ଏକ ସଫଳତା ଭାବେ ପରିଗଣିତ ।
ପୁଣି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ, ଆମେ ଡିଜିଟାଲ୍ ବ୍ୟବହାରକୁ ସାର୍ବଜନୀନ କରୁଛୁ, କିନ୍ତୁ ଆନ୍ତର୍ଜାତିକ ସ୍ତରରେ ତଥାପି ଏକ ବିରାଟ ଡିଜିଟାଲ୍ ବିଭେଦ ରହିଛି । ବିଶ୍ୱର ଅଧିକାଂଶ ବିକାଶଶୀଳ ଦେଶର ନାଗରିକ ମାନଙ୍କର କୌଣସି ପ୍ରକାରର ଡିଜିଟାଲ୍ ପରିଚୟ ନାହିଁ । କେବଳ ୫୦ ଟି ଦେଶରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଅଛି । ଆମେ ଏକାଠି ଏକ ପ୍ରତିଜ୍ଞା ନେଇ ପାରିବା କି , ଆଗାମୀ ଦଶ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଡିଜିଟାଲ୍ ପରିବର୍ତ୍ତନ ଆଣିବା, ଯାହା ଦ୍ୱାରା ସାରା ବିଶ୍ୱର କୌଣସି ବ୍ୟକ୍ତି ଡିଜିଟାଲ୍ ଟେକ୍ନୋଲୋଜିର ଲାଭରୁ ବଂଚିତ ହେବେ ନାହିଁ !
ଆସନ୍ତା ବର୍ଷ ଭାରତ ଜି – ୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବା ସମୟରେ ସମସ୍ତ ଜି- ୨୦ ସହଯୋଗୀ ରାଷ୍ଟ୍ର ମାନଙ୍କ ସହିତ ମିଳିତ ଭାବରେ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । “ବିକାଶ ପାଇଁ ତଥ୍ୟ’ ର ସିଦ୍ଧାନ୍ତ ଆମର ପ୍ରେସିଡେନ୍ସିର ସାମଗ୍ରିକ ବିଷୟବସ୍ତୁ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ । ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।