କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’: ନୂଆ ପ୍ରାଣଶକ୍ତି ପ୍ରଦାନ କରିବ
କଂଗ୍ରେସର ଲୋକଙ୍କ ସହ ସଂପର୍କ ଅଭିଯାନ ‘ଭାରତ ଯୋଡ଼ୋ ଯାତ୍ରା’ ଦଳରେ ନୂତନ ପ୍ରାଣଶକ୍ତି ଭରିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କନ୍ୟାକୁମାରୀରୁ ପଦଯାତ୍ରାର ଦ୍ବିତୀୟ ଦିବସ ଆରମ୍ଭ କରିବା ଅବସରରେ ସୋନିଆ ଗାନ୍ଧୀ ଏଭଳି କହିଛନ୍ତି । ସମ୍ପ୍ରତି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶରେ ଥିବା ସୋନିଆ ଗାନ୍ଧୀ କହିଛନ୍ତି, କଂଗ୍ରେସ ପାଇଁ ଭାରତ ଯୋଡ଼ୋ ଯାତ୍ରା ହେଉଛି ସ୍ମରଣୀୟ ମୁହୂର୍ତ୍ତ। କଂଗ୍ରେସର ପୁନଃ ପ୍ରାଣସଞ୍ଚାର କ୍ଷେତ୍ରରେ ଏହି ପଦଯାତ୍ରା ବଡ଼ ଭୂମିକା ନେବ ।
କଂଗ୍ରେସ ସବୁ ଭାରତୀୟଙ୍କୁ ଏକାଠି ବାନ୍ଧି ରଖିଛି। ଦେଶକୁ ଏକତ୍ର କରିବା ଅନ୍ବେଷଣରେ ତ୍ରିରଙ୍ଗାକୁ ଅଭିବାଦନ ଜଣାଇ ଦ୍ବିତୀୟ ଦିବସର ଯାତ୍ରା ଆରମ୍ଭ ହେଉଥିବା ସେ କହିଛନ୍ତି । ୧୨ଟି ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ୩,୭୦୦ କିଲୋମିଟର୍ବିଶିଷ୍ଟ ଏହି ପଦଯାତ୍ରା ୧୫୦ ଦିନରେ ଶେଷ ହେବ ।
ଗତକାଲି ରାହୁଲ ଗାନ୍ଧୀ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରା ଜମ୍ମୁ କାଶ୍ମୀର ଶ୍ରୀନଗରରେ ଶେଷ ହେବ । ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଭାରତ ଯୋଡୋ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସର ସମସ୍ତ ବରିଷ୍ଠ ନେତା ଏହି ପଦଯାତ୍ରାରେ ସାମିଲ ହେବେ । 2024 ଭିତରେ ପୁଣି ଥରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରୁଛି କଂଗ୍ରେସ ।
ବିରୋଧୀଙ୍କୁ ମେଳି କରିବାକୁ ମଧ୍ୟ ଏହି ଯାତ୍ରା ସୁଯୋଗ ଦେବ । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଭନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ ।