ଭି ନାରାୟଣନ କିଏ?
ଭି ନାରାୟଣନ କୁ ନେଇ ଚର୍ଚ୍ଚା । ଇସ୍ରୋର ଏବେ ସେ ମୁଖ୍ୟ ହେବାକୁ ଯାଉଛନ୍ତି । ବିଶିଷ୍ଟ ବୈଜ୍ଞାନିକ ଡ. ଭି ନାରାୟଣନ ୨୦୨୫ ଜାନୁଆରି ୧୪ରେ ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ବର୍ତମାନ ସେ ଲିକ୍ୱିଡ୍ ପ୍ରପଲସନ ସିଷ୍ଟମ୍ ସେଣ୍ଟର (ଏଲ୍ପିଏସ୍ସି)ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।
ଡକ୍ଟର ନାରାୟଣନ ୧୯୮୪ରେ ଇସ୍ରୋରେ ଯୋଗ ଦେଇଥିଲେ ଏବଂ ତାଙ୍କ କ୍ୟାରିୟରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ରକେଟ୍ ଓ ମହାକାଶଯାନ ପ୍ରପଲ୍ସନ୍ରେ ତାଙ୍କ ଦକ୍ଷତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ନାରାୟଣନ ଜିଏସ୍ଏଲ୍ଭି ଏମ୍କେ-୩ ଯାନର ସି-୨୫ କ୍ରାୟୋଜେନିକ୍ ପ୍ରୋଜେକ୍ଟ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ ଏବଂ ଏହି ଉତ୍କ୍ଷେପଣ ଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସି-୨୫ ଷ୍ଟେଜ୍କୁ ସଫଳତାର ସହ ବିକଶିତ କରିବା ପାଇଁ ତାଙ୍କ ଦଳକୁ ନେତୃତ୍ୱ ଦେଇଥିଲେ।
ତାଙ୍କ ନେତୃତ୍ୱରେ ଏଲ୍ପିଏସ୍ସି ବିଭିନ୍ନ ଇସ୍ରୋ ମିସନ ପାଇଁ ୧୮୩ଟି ଲିକ୍ୱିଡ୍ ପ୍ରପଲସନ ସିଷ୍ଟମ୍ ଓ କଣ୍ଟ୍ରୋଲ ପାୱାର ପ୍ଲାଣ୍ଟ ପ୍ରଦାନ କରିଛି, ଯେଉଁଥିରେ ପିଏସ୍ଏଲ୍ଭି ଓ ଜିଏସ୍ଏଲ୍ଭି କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ତାଙ୍କ କାର୍ଯ୍ୟ ଚନ୍ଦ୍ରଯାନ-୨, ଚନ୍ଦ୍ରଯାନ-୩ ଓ ଆଦିତ୍ୟ ମହାକାଶଯାନ ଭଳି ଉଲ୍ଲେଖନୀୟ ଅଭିଯାନରେ ବିସ୍ତାରିତ ହୋଇ ଭାରତର ମହାକାଶ ସାମର୍ଥ୍ୟକୁ ଆଗକୁ ବଢ଼ାଇଛି ଏବଂ ତାଙ୍କର ବହୁମୁଖୀ ପ୍ରତିଭା ଓ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି।