୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା

୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । ଆତଙ୍କୀ ଠାରୁ ସମସ୍ତ ଆତଙ୍କବାଦୀ ନେଟୱାର୍କ ସମ୍ପର୍କିତ ତଥ୍ୟ କାଢିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଭାରତ ଅଣାଯିବା ପରେ ବିମାନବନ୍ଦରରେ ହିଁ ଏନଆଇଏ ପକ୍ଷରୁ ଔେପଚାରିକ ଭାବେ ଗିରଫ କରାଯାଇଥିଲା । ପରେ ବିଳମ୍ବିତ ରାତିରେ କଡା ସୁରକ୍ଷାବଳୟ ମଧ୍ୟରେ ପଟିଆଲା ହାଉସରେ ଏହି ଆତଙ୍କୀକୁ ହାଜର କରାଯାଇଥିଲା । ପୁରା ଘଟଣାର ପଚରାଉଚରା ପାଇଁ ତହବୁରକୁ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ତଦନ୍ତକାରୀ ସଂସ୍ଥାର ଅଧିକାରୀ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢିବା ସହ ୨୦ଦିନର ରିମାଣ୍ଡ ଆବେଦନ କରିଥିଲେ । ତେବେ ୧୮ଦିନର ରିମାଣ୍ଡ ପାଇଁ ଅନୁମତି ଦେବା ପରେ ରାତିରେ ହିଁ ତହବୁରକୁ ଏନଆଇଏ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବେ । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି । ୧୯୬୧ରେ ପାକିସ୍ତାନର ପଞ୍ଜାବରେ ଜନ୍ମ ହୋଇଥିଲା ଏହି କୁଖ୍ୟାତ ଆତଙ୍କୀ । ତହବୁର ରାଣା ପେଷାରେ ଜଣେ ଡାକ୍ତର । ଆତଙ୍କୀ ସଂଗଠନ ଲସ୍କ-ଏ-ତୋଇବାର ସଦସ୍ୟ ଥିଲା ଏହି ଆତଙ୍କୀ । ପ୍ରଥମ ସେ ପାକିସ୍ତାନୀ ସେନାରେ ଡାକ୍ତର ଭାବେ କାମ କରିଥିଲା । ପରେ ୧୯୯୭ରେ ତହବୁର କାନାଡ଼ା ଚାଲିଯାଇଥିଲା, ଆଉ ସେଠାକାର ନାଗରିକତ୍ବ ନେଇଥିଲା । ଅନ୍ୟତମ ମାଷ୍ଟରମାଇଣ୍ଡ ଡେଭିଡ୍ ହେଡଲି ସହ ବନ୍ଧୁତା ଜମାଇଥିଲା ତହବୁର । ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଉଭୟ ରଚିଥିଲେ ସାଂଘାତିକ ଷଡ଼ଯନ୍ତ୍ର । ଉଭୟ ମୁମ୍ବାଇ ଆସି ରେକି କରିଥିଲେ, ଆଉ କେଉଁଠି କେଉଁଠି ଆକ୍ରମଣ କରିହେବ ତାର ନକ୍ସା ପ୍ରସ୍ତୁତ କରିଥିଲେ । ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଇବାର ଆତଙ୍କୀ ମୁମ୍ବାଇ ଆକ୍ରମଣ ରଚିଥିଲେ । ୨୦୦୯, ୧୮ ଅକ୍ଟୋବରରେ ତହବୁରକୁ ଚିକାଗୋରେ ଗିରଫ କରାଯାଇଥିଲା । ଭାରତୀୟ ତଦନ୍ତକାରୀ ସଂସ୍ଥା ରାଣା ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ତହବୁରକୁ ପ୍ରତ୍ୟାର୍ପଣ ନେଇ ଦାବି କରିଆସୁଥିଲା ଭାରତ । ପ୍ରତ୍ୟାର୍ପଣ ଉପରେ ରୋକ୍‌ ପାଇଁ ଆମେରିକା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର । ତହବୁରର ଆବେଦନକୁ କୋର୍ଟ  ଖାରଜ କରିବା ପରେ ଆତଙ୍କୀକୁ ଭାରତକୁ ଅଣାଯାଇଛି ।

Leave a comment