ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ ବିକ୍ରାନ୍ତ

ଯୁଦ୍ଧପୋତ ଆଇଏନ୍‌ଏସ୍ ବିକ୍ରାନ୍ତକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାରେ ସାମିଲ କରିଛନ୍ତି। ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ବଦେଶୀ ବିମାନବାହୀ ଯୁଦ୍ଧ ଜାହାଜ । ଭାରତର ନୌସେନା ଇତିହାସରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ। କୋଚିନଠାରେ ପ୍ରଧାନମନ୍ତ୍ରୀ ଏହାକୁ ନୌସେନାରେ ସାମିଲ କରିଛନ୍ତି। ବିକ୍ରାନ୍ତକୁ ନୌସେନାରେ ସାମିଲ କରାଯିବା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସ୍ବଦେଶୀ ଜ୍ଞାନକୌଶଳରେ ବିମାନବାହୀ ବିରାଟ ଯୁଦ୍ଧପୋତ ନିର୍ମାଣ କରୁଥିବା ଦେଶମାନଙ୍କ ସହ ଆଜି ଭାରତ ଯୋଗ ଦେଇଛି। ଭାରତର ଏ କ୍ଷେତ୍ରରେ ଶକ୍ତି ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ଏତେ ବଡ଼ ପ୍ରକଳ୍ପକୁ ସଫଳ କରିଥିବା ସମସ୍ତଙ୍କୁ ପ୍ରଶଂସା କରି କହିଲେ, ‘ବିକ୍ରାନ୍ତ’ ହେଉଛି ଭାରତର ଶକ୍ତି, ସାମର୍ଥ୍ୟର ପରିପ୍ରକାଶ । ‘ବିକ୍ରାନ୍ତ’ କେବଳ ଯୁଦ୍ଧପୋତ ନୁହେଁ, ଆମ କଠିନ ଶ୍ରମ, ମେଧା, ପ୍ରଭାବ ଭାରତର ସଫଳତା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ହେଉଛି ବାସ୍ତବରେ ସ୍ବଦେଶୀ ସମ୍ଭାବନାର ପ୍ରତୀକ। କାରଣ ଏହାର ପ୍ରତ୍ୟେକ ଯନ୍ତ୍ରାଂଶରେ ନିଜସ୍ବ ଗୁଣ, ସାମର୍ଥ୍ୟ ଏବଂ ନିଜସ୍ବ ବିକାଶର ଯାତ୍ରା ନିହିତ ରହିଛି। ଏହା ହେଉଛି ସ୍ବଦେଶୀ ସମ୍ଭାବନା, ସ୍ବଦେଶୀ ସମ୍ବଳ ଏବଂ ସ୍ବଦେଶୀ ଦକ୍ଷତାର ପ୍ରତୀକ। ଏହାର ବିମାନଘାଟିରେ ଲାଗିଥିବା ଲୌହ ମଧ୍ୟ ସ୍ବଦେଶୀ ଅଟେ।