ରାଷ୍ଟ୍ରପତିଙ୍କୁ Poor Lady କହି କଟାକ୍ଷ କଲେ ସୋନିଆ

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣକୁ ବିରକ୍ତିକର ବୋଲି କହିଛନ୍ତି। ଏହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ। ସେ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ବକ୍ତବ୍ୟ ସର୍ବୋଚ୍ଚ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଅପମାନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିବରଣୀ ଥିଲା। ପୂର୍ବ ବଜେଟ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରୁ ଲୋକଙ୍କୁ ଲାଭ ମିଳିଛି।