ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ସମସ୍ତ ହିନ୍ଦୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଲେ RSS ମୁଖ୍ୟ ମୋହନ ଭାଗବତ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ବିଶେଷ କରି ଜନସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ସେ ‘୩ ସନ୍ତାନ’ ନୀତି ଏବଂ ପାରିବାରିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ମୋହନ ଭାଗବତ କହିଛନ୍ତି ଯେ ବିବାହ କେବଳ ଦୁଇଜଣଙ୍କ ସମ୍ମତି ବା ଶାରୀରିକ ସନ୍ତୁଷ୍ଟି ପାଇଁ ନୁହେଁ, ବରଂ ଏହା ଏକ ସାମାଜିକ କର୍ତ୍ତବ୍ୟ। ସମାଜର ସନ୍ତୁଳନ ରକ୍ଷା ପାଇଁ ଶାସ୍ତ୍ର ଏବଂ ଚିକିତ୍ସା ବିଜ୍ଞାନ ଅନୁସାରେ ପ୍ରତି ପରିବାରରେ ତିନୋଟି ସନ୍ତାନ ରହିବା ଆବଶ୍ୟକ। ଜନସଂଖ୍ୟା ଅସନ୍ତୁଳନ ପାଇଁ ସେ ମୁଖ୍ୟତଃ ତିନୋଟି କାରଣ ଦର୍ଶାଇଛନ୍ତି। ସେଗୁଡିକ ହେଉଛି ଜନ୍ମ ହାର, ଧର୍ମାନ୍ତରୀକରଣ ଏବଂ ଅନୁପ୍ରବେଶ। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ସେ ସାଧାରଣ ନାଗରିକଙ୍କୁ ପ୍ରଶାସନର ‘ଆଖି ଓ କାନ’ ହେବାକୁ ପରାମର୍ଶ ଦେଇଛନ୍ତି।
ଦେଶର ଆର୍ଥିକ ସ୍ଥିତି ଉପରେ ମତ ରଖି ସେ କହିଛନ୍ତି ଯେ କେବଳ GDP ଦେଶର ପ୍ରକୃତ ସ୍ଥିତି ଦର୍ଶାଇପାରିବ ନାହିଁ। GDP କେବଳ ରପ୍ତାନି ଓ ଆମଦାନୀର ଏକ ଆକଳନ। ଅର୍ଥନୀତିରେ ପରିମାଣ ଅପେକ୍ଷା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେବା ଉଚିତ।
ଏହି ଅବସରରେ ସରକାରଙ୍କୁ ସଂଘ ନିୟନ୍ତ୍ରଣ କରୁଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, “ସରକାରରେ ଯେଉଁମାନେ ଅଛନ୍ତି, ସେମାନେ ହିଁ ସରକାର ଚଲାନ୍ତି। ଆମେ କୌଣସି ‘ବ୍ୟାକ୍-ସିଟ୍ ଡ୍ରାଇଭିଂ’ କରୁନାହୁଁ।” ତେବେ ଦେଶର ପ୍ରଗତି ପାଇଁ ସଂଘ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଦିଲ୍ଲୀରେ ହୋଇଥିବା ନିକଟତର ବିସ୍ଫୋରଣ ଘଟଣାକୁ ଉଦାହରଣ ଦେଇ ସେ ସାମାଜିକ ସଚେତନତା ଉପରେ ଜୋର ଦେଇଛନ୍ତି। ଏହାସହ ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ସମସ୍ତ ହିନ୍ଦୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟ ଉପରେ ନିର୍ଭର ନକରି ହିନ୍ଦୁମାନେ ନିଜ ଅଧିକାର ପାଇଁ ଏକାଠି ଲଢ଼ିବା ଉଚିତ।