ନଭେମ୍ବର ୧୫ ରେ ଝାଡ଼ଖଣ୍ଡରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ । ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା । ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ଏଥିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ । ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦବୋଧନ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ନଭେମ୍ବର ୧୫ ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହି ଅବସରରେ ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ ।

ଶ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ ଯେ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବ୍ୟାପକ ସଂଖ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଏବଂ ଉପାନ୍ତ ଅଞ୍ଚଳରେ ବ୍ୟାପକ ଆକାରରେ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ସେ କହିଥିଲେ ଯେ, ରାଜ୍ୟ ରାଜଧାନୀଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଆଦିବାସୀ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରିବେ । ସାରା ଦେଶରେ ସେମିନାର ଓ କର୍ମଶାଳା ଆୟୋଜନ କରାଯିବ; ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ବଚ୍ଛତା ଅଭିଯାନ ଆୟୋଜନ ଲାଗି ଯୋଜନା କରାଯାଇଛି । ରାଜ୍ୟ ସରକାର ଏବଂ ରାଜ୍ୟ ଜନଜାତି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ସାରା ଦେଶର ୩୯୨ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନଭେମ୍ବର ୧୫ ତାରିକରେ ଏକ ପ୍ରବନ୍ଧ ରଚନା ପ୍ରତିଯୋଗିତା ଏବଂ ୧୬ ତାରିଖରେ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହେବ । ନଭେମ୍ବର ୧୭ ତାରିଖରେ ନୃତ୍ୟ ପ୍ରତିଯୋଗିତା, ୧୮ ତାରିଖରେ ସ୍କିଟ୍ ପ୍ରତିଯୋଗିତା, ୧୯ ତାରିଖରେ କବିତା ଓ ସଙ୍ଗୀତ ପ୍ରତିଯୋଗିତା, ୨୧ ତାରିଖରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ସେମିନାର, ୱେବିନାର ଏବଂ ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ରେଳବାଇ, ଶିକ୍ଷା ଓ ସଂସ୍କୃତି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି କରାଯାଇଛି । ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏସବୁ କାର୍ଯକ୍ରମରେ ଜନଜାତୀୟ ଗୌରବ ଦିବସର ମହତ୍ବ ଏବଂ ଜନଜାତିଙ୍କ ଗୌରବ ତଥା ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପ୍ରଚାରପ୍ରସାର କରାଯିବ ।