କ୍ବାଲାଲମ୍ପପୁରଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆସନ୍ତାକାଲି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଇ ଶନିବାର କ୍ବାଲାଲମ୍ପପୁରଠାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ଜୋରଦାର ସ୍ବାଗତ କରିଥିଲେ। ମାଲେସିଆରେ ରହୁଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ବହୁ ସଂଖ୍ୟକ ଲୋକ ବିମାନବନ୍ଦରରେ ମୋଦୀଙ୍କ ସ୍ବାଗତ ପାଇଁ ଉପସ୍ଥିତ ଥିଲେ। ବିମାନବନ୍ଦରରୁ ତାଙ୍କୁ ସ୍ବାଗତ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଯୋଗଦେଇଥିବାରୁ ମୋଦୀ ଇବ୍ରାହିମଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ ମୋଦୀ ତାଙ୍କ ମାଲେସିଆ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦୀ ଓ ତାଙ୍କ ମାଲେସିଆ ପ୍ରତିପକ୍ଷ ଇବ୍ରାହିମ୍ ରବିବାର ଦ୍ବିପାକ୍ଷିକ ଆଲୋଚନା କରିବେ। ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଅନେକଗୁଡ଼ିକ ବୁଝାମଣା କରିବାର ସମ୍ଭାବନା ରହିଛି। ମାଲେସିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଗଭୀର ପ୍ରତିରକ୍ଷା ସହଯୋଗ ଏବଂ ଦୃଢ଼ ଆର୍ଥିକ ସମ୍ପର୍କ ପାଇଁ ଏକ ପ୍ରମୁଖ ପ୍ରୟାସ ଉପରେ ଧ୍ୟାନ ଦେବ। ଭାରତ ଏବଂ ମାଲେସିଆ ମଧ୍ୟରେ ଐତିହାସିକ ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ଅଗ୍ରଗତି କରିଛି। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ଆଲୋଚନା ତଥା ବ୍ୟାପକ ରଣନୈତିକ ସହଭାଗିତା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ରେସୂଚନା ଦେଇଛନ୍ତି।