ଯଶୋଭୂମି’ ଉଦ୍ଘାଟନ : ‘ସେଲ୍ଫି’ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ
‘ଯଶୋଭୂମି କନ୍ଭେନ୍ସନ୍ ସେଣ୍ଟର୍’ ଏବଂ ଦ୍ବାରକାରେ ସମ୍ପ୍ରସାରିତ ‘ଏୟାର୍ପୋର୍ଟ ଏକ୍ସପ୍ରେସ୍ ଲାଇନ୍’ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ ‘ଯଶୋଭୂମି’ ବିଶ୍ୱର ସର୍ବବୃହତ ଏମ୍ଆଇସିଇ (ମିଟିଂ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରେ ସ୍ଥାନ ପାଇଛି।
ପାଖାପାଖି ୫୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଯଶୋଭୂମି’ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ୭୩ ହଜାର ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟ ଅଡିଟୋରିୟମ, ଗ୍ରାଣ୍ଡ ବଲ୍ରୁମ୍ ସମେତ ୧୫ଟି କନଭେନସନ ରୁମ୍ ଏବଂ ମୋଟ ୧୧,୦ ପ୍ରତିନିଧି ରହିବାର କ୍ଷମତା ଥିବା ୧୩ଟି ମିଟିଂ ରୁମ୍ ରହିଛି। ଏହି କନଭେନସନ ସେଣ୍ଟରରେ ଦେଶର ସବୁଠାରୁ ବଡ ଏଲଇଡି ମିଡିଆ ସୁବିଧା ରହିଛି । କନଭେନସନ୍ ସେଣ୍ଟରରେ ଥିବା ପୂର୍ଣ୍ଣାଙ୍ଗ ହଲରେ ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି। ଅଡିଟୋରିୟମରେ ସବୁଠାରୁ ଅଭିନବ ସ୍ୱୟଂଚାଳିତ ବସିବା ବ୍ୟବସ୍ଥା ରହିଛି ଯାହା ଫ୍ଲୋରକୁ ଏକ ଫ୍ଲାଟ ଫ୍ଲୋର କିମ୍ବା ବିଭିନ୍ନ ସିଟିଂ କନଫିଗ୍ରେସନ ପାଇଁ ଏକ ଅଡିଟୋରିୟମ ଷ୍ଟାଇଲ ସ୍ତରୀୟ ବସିବାକୁ ଅନୁମତି ଦେଇଥାଏ । ଅଡିଟୋରିୟମରେ ବ୍ୟବହୃତ କାଠ ଚଟାଣ ଏବଂ ଆକୋଷ୍ଟିକ୍ କାନ୍ଥ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟ ଅନୁଭୂତି ସୁନିଶ୍ଚିତ କରିବ। ଏକ ଅନନ୍ୟ ପେଟାଲ ଛାତ ଥିବା ଗ୍ରାଣ୍ଡ ବଲ୍ରୁମ୍ ରେ ପ୍ରାୟ ୨,୫୦୦ ଅତିଥି ରହିପାରିବେ।
ଆଜି ୭୩ ବର୍ଷରେ ପଦାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମେଟ୍ରୋର ଯାତ୍ରୀମାନେ ଶୁଭେଚ୍ଛା ଜଣାଇବା ସହିତ କେତେ ଜଣ ତାଙ୍କ ସହିତ ‘ସେଲ୍ଫି’ ଉଠାଇ ଥିଲେ। ପ୍ରଧାନମନ୍ତ୍ରୀ ବି ତାଙ୍କ ସହିତ ଆଳାପ କରିଥିଲେ। ସେହିପରି, ‘ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍’ (ଡିଏମ୍ଆର୍ସି) କର୍ମଚାରୀମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ। ଦିଲ୍ଲୀ ମେଟ୍ରୋର ପ୍ରାୟ ୨ କିଲୋମିଟର୍ ଦୀର୍ଘ ‘ଯଶୋଭୂମି ଲାଇନ୍’ ଦ୍ବାରକା ସେକ୍ଟର୍ ୨୧ ସହିତ ‘ଇଣ୍ଡିଆ ଇଣ୍ଟର୍ନ୍ୟାସ୍ନାଲ୍ କନ୍ଭେନ୍ସନ୍ ସେଣ୍ଟର୍’କୁ ସଂଯୋଗ କରିବ। ‘ଯଶୋଭୂମି’ ଉଦ୍ଘାଟନ ସରିବା ପରେ ‘ଭାରତ ମାତା କି ଜୟ’ ଧ୍ବନିରେ ‘କନ୍ଭେନ୍ସନ୍ ସେଣ୍ଟର୍’ ପ୍ରକମ୍ପିତ ହୋଇ ଉଠିଥିଲା। ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କାରିଗର ଓ ଶିଳ୍ପୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ।