ବିଶିଷ୍ଟ କୃଷିବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ

ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନଙ୍କ ୯୮ ବର୍ଷ ବୟସରେ  ହୋଇଛି ପରଲୋକ । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ସେ ପ୍ରତିଷ୍ଠାତା ଥିଲେ । ଟାଇମ ମାଗାଜିନରେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ତାଲିକାରେ ତାଙ୍କ ନାମ ସ୍ଥାନୀତ ହୋଇଥିଲା । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା । କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରେ ସବୁଜ ବିପ୍ଲବର ଜନକ ଥିଲେ ସ୍ବାମୀନାଥନ । ଦେଶରେ କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ପ୍ରମୁଖ ଭୂମିକା । ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସେ ସହାୟକ ହୋଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାମୀନାଥନ ସାରା ଜୀବନ ଚାଷୀଙ୍କୁ ସଶକ୍ତ କରିବା ଦିଗରେ କଠିନ ପରିଶ୍ରମ କରିବା ସହ ଚାଷୀଙ୍କ ଲାଗି ଏକ ସୁଚିନ୍ତିତ ନୀତି ଆଣିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।