ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦକ୍ଷିଣ ଉଜୈନରୁ କ୍ରମାଗତ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୫୮ବର୍ଷୀୟ ମୋହନ ଯାଦବ। ଶିବରାଜ ସିଂ ସରକାରରେ ସେ ଉଚ୍ଚଶିକ୍ଷାମନ୍ତ୍ରୀ ଥିଲେ। ଶପଥ ଗ୍ରହଣ ସମାରୋହ ନିମନ୍ତେ ଭୋପାଳରେ ଭବ୍ୟ ଆୟୋଜନ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟା ୩୦ରେ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି।ଏଥିସହିତ ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ମଧ୍ୟପ୍ରଦେଶର ବାଚସ୍ପତି ଦାୟିତ୍ୱ ହସ୍ତାନ୍ତର କରାଯାଇଛି।