‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ସୁରଟ କୋର୍ଟରୁ ଝଟକା

ନୂଆଦିଲ୍ଲୀ :  ରାହୁଲ ଗାନ୍ଧୀଙ୍କ ‘ମୋଦି’ ସରନେମକୁ ନେଇ ମାମଲାରେ ସୁରଟ କୋର୍ଟ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ସରନେମ  ବିବାଦୀୟ ମନ୍ତବ୍ୟ ଉପରେ  ସୁରଟର ଏକ କୋର୍ଟ ଶୁଣାଣି କରି ରାହୁଲଙ୍କୁ ଛାଡ କରିନାହାଁନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଆଶାବାଦୀ ଥିଲେ  ରାହୁଲଙ୍କୁ ଆଶ୍ୱସ୍ତି ମିଳିପାରେ । ତେବେ କୋର୍ଟ ସେପରି କିଛି କରିନାହାଁନ୍ତି । ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶକୁ ନେଇ ଗତ ମାସ ହେଲା ଚର୍ଚା ହେଉଛି । କୋର୍ଟ ସର୍ବାଧିକ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ ଦଣ୍ଡିତ କରିବା ପରେ ଲୋକ ସଭାର ଅଧିନିୟମ ଅନୁଯାୟୀ ତାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଥିଲା। ଏବେ ହାଇକୋର୍ଟ ଯାଇପାରନ୍ତି ରାହୁଲ ଗାନ୍ଧି ।୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦି ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ। ଠକେଇ ଅଭିଯୁକ୍ତ ନୀରବ ମୋଦି, ଲଳିତ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ଯୋଡ଼ି ସବୁ ମୋଦି ଚୋର ବୋଲି ସେ କହିଥିଲେ। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି। ରାହୁଲଙ୍କ ବୟାନ ପୂରା ମୋଦି ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ରାହୁଲ ଗାନ୍ଧିଙ୍କ ନାଁରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା।