ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଭୂଟାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂଟାନ ତରପରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପ୍ରାପ୍ତ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ । ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଂଗଚୁକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଡର ଅଫ୍ ଦ ଡ୍ରୁକ ଗ୍ୟାଲପୋ ସମ୍ମାନରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇବା ପରେ ଭୂଟାନକୁ କୃତଜ୍ଞତା ଜଣାଇବା ସହ ଏହି ସମ୍ମାନକୁ ଭାରତର ୧୪୦ କୋଟି ଲୋକଙ୍କ ଉର୍ଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ଜଣେ ଭାରତୀୟ ଭାବେ ଆଜିର ଦିନଟି ତାଙ୍କ ପାଇଁ ବହୁତ ବଡଦିନ । ଯେତେବେଳେ କୌଣସି ଅନ୍ୟଦେଶରୁ ପୁରସ୍କାର ମିଳେ ତାହା ଭରସାକୁ ମଜବୁତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଦୁଇଦିନିଆ ରାଜକୀୟ ଯାତ୍ରାରେ ଶୁକ୍ରବାର ଦିନ ଭୂଟାନର ରାଜଧାନୀ ଥିମ୍ପୁରେ ପହଂଚିଛନ୍ତି । ସେ ପାରୋ ବିମାନବନ୍ଦରରେ ପହଂଚିବା ପରେ ଭୂଟାନ ସରକାରଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । । ବିମାନବନ୍ଦରରେ ଭୂଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟେବଗେ ତାଙ୍କୁ ସ୍ୱାଗତ କରିବାକୁ ପହଂଚିଥିଲେ ।