ମିଜୋରାମ ନିର୍ବାଚନ: ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି

ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ ଆଞ୍ଚଳିକ ଦଳ ସଫଳ ହୋଇଛି। ଏହାର ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୮ ନିର୍ବ‌ାଚନ ବେଳେ ଜେଡ୍‌ପିଏମ୍‌ ଗଠିତ ହୋଇଥିଲା ।  ପ୍ରଥମ ପଦାର୍ପଣରେ ଏହାକୁ ମିଳିଛି ୨୭ଟି ଆସନ।୪୦ ଆସନ ବିଶିଷ୍ଟ ବିଧାନସଭାରେ ବିରୋଧୀ ଜେଡ୍‌ପିଏମ୍‌ (ଜୋରାମ୍‌ ପିପୁଲ୍‌ସ ମୁଭମେଣ୍ଟ) ୨୭ଟି ଆସନ ହାସଲ କରିଥିବା ବେଳେ ଏମ୍‌ଏନ୍‌ଏଫ୍‌ ୧୦ଟି, ବିଜେପି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଆଇଜଲ ଇଷ୍ଟ୍‌-୧ ଆସନରୁ ହାରିଯାଇଛନ୍ତି। ସେହିଭଳି ଉପମୁଖ୍ୟମନ୍ତ୍ରୀ ତନଲୁଇଆ ମଧ୍ୟ ତୁଲଚାଙ୍ଗ ଆସନରେ ପରାଜିତ ହୋଇଛନ୍ତି। ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋମବାର ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ ହରି ବାବୁ କମ୍ଭମପତିଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରୀ ବିରୋଧୀ ହାୱା ଯୋଗୁ ତାଙ୍କ ଦଳ ପରାଜିତ ହୋଇଛି। ଲୋକମାନେ ତାଙ୍କ ସରକାରଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ଲୋକଙ୍କ ଜନାଦେଶକୁ ମୁଁ ଗ୍ରହଣ କରୁଛି।