ପ୍ରଥମ ଥର ପାଇଁ ‘କମ୍ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀର ନିର୍ବାଚନ ସଦନରେ ଅନୁଷ୍ଠିତ ଦିନିକିଆ ‘କମ୍ ଭୋଟର ମତଦାନ ଉପରେ ସମ୍ମିଳନୀ’ରେ ପ୍ରମୁଖ ସହରର ମହାନଗର ନିଗମ ଆୟୁକ୍ତ ଏବଂ ବିହାର ଓ ଉତ୍ତରପ୍ରଦେଶରେ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କେତେକ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ମିଳିତ ଭାବେ ବିଚାରବିମର୍ଶ କରିଛନ୍ତି । ଆୟୋଗଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସହରାଞ୍ଚଳ ଓ ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂପୃକ୍ତି ବୃଦ୍ଧି ଏବଂ ଅଂଶଗ୍ରହଣ ନିମନ୍ତେ ମାର୍ଗ ନିର୍ଦ୍ଧାରଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଗଙ୍କ ପକ୍ଷରୁ ଭୋଟରଙ୍କ ଉଦାସୀନତା ସମ୍ପର୍କିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।
ବିହାର, ଉତ୍ତରପ୍ରଦେଶ, ଏନସିଟି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର ଏବଂ ଝାଡ଼ଖଣ୍ଡଭଳି ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୯ ଲୋକସଭା ନିର୍ବାଚନରେ ଜାତୀୟ ମତଦାନ ହାର ୬୭.୪୦% ତୁଳନାରେ କମ୍ ମତଦାନ ହୋଇଥିଲା। ୨୦୧୯ରେ ଜାତୀୟ ହାର ତୁଳନାରେ କମ୍ ମତଦାନ ହୋଇଥିବା ୧୧ଟି ରାଜ୍ୟର ମୋଟ ୫୦ଟି ଗ୍ରାମୀଣ ସଂସଦୀୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଉତ୍ତରପ୍ରଦେଶ ର ୨୨ଟି ଏବଂ ବିହାରର ୧୮ଟିକୁ ମିଶାଇ ମୋଟ୍ ୪୦ଟି ନିର୍ବାଚନ ମଣ୍ଡଳୀ ରହିଛି । ଉତ୍ତରପ୍ରଦେଶର ୫୧- ଫୁଲପୁର ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୪୮.୭% ମତଦାନ ହୋଇଥିବା ବେଳେ ବିହାରର ୨୯-ନାଲନ୍ଦା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୪୮.୭୯% ମତଦାନ ହୋଇଛି।ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର କହିଛନ୍ତି ଯେ କମ୍ ମତଦାନ ଥିବା ମୋଟ ୨୬୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ (୨୧୫ଟି ଗ୍ରାମୀଣ ଓ ୫୧ଟି ସହରାଞ୍ଚଳ) ଚିହ୍ନଟ କରାଯାଇଛି ଏବଂ ସମସ୍ତ ସଂପୃକ୍ତ ମହାନଗର ନିଗମ ଆୟୁକ୍ତ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଲକ୍ଷ୍ୟ ଆଧାରିତ ଭାବେ ଭୋଟରଙ୍କ ନିକଟରେ ପହଞ୍ଚିବାର ଉପାୟ ଖୋଜିବା ପାଇଁ କୁହାଯାଇଛି।