ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଲେଣି ମମତା ବାନାର୍ଜୀ,ହେଲେ ନା ଅଛି ଘର ନାଁ ଅଛି ଗାଡ଼ି

ସାଧାରଣ ପରିଧାନ, ସରଳ ଜୀବନ ଶୈଳୀ ପାଇଁ ସାରା ଦେଶରେ ଜଣାଶୁଣା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଯୌବନ କାଳରୁ ରାଜନୀତିରେ କଡ଼ା ସଂଘର୍ଷ କରି ସଂଗଠନ ମଜଭୁତ କରି, ଦିନେ ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଗଡ଼ ଭାଙ୍ଗିବାରେ ସଫଳ ହୋଇଥିଲେ ବଙ୍ଗାଲର୍ ଏହି ଲୌହମାନବୀ।

ସେବେଠାରୁ ଏପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଥରେ ନୁହେଁ କୁ ଦୁଇଥର ନୁହେଁ, ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଲେଣି ମମତା। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୩ ଥରର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନା ଅଛି ଘର ନାଁ ଅଛି ଗାଡ଼ି। ଏମିତିକି ଗୋଟେ ଡିସମିଲ ଚାଷ ଜମି ସୁଦ୍ଧା ନାହିଁ। ଯାହାର ସୂଚନା ସେ ନିଜେ ଦେଇଛନ୍ତି।

ମମତା ବାନାର୍ଜୀ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଭରିଥିଲେ। ଶପଥପତ୍ରରେ ତାଙ୍କର ମୋଟ ସମ୍ପତ୍ତି ୧୫.୩୭ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ପାଞ୍ଚ ବର୍ଷ ପୂର୍ବେ ୨୦୨୧ ନିର୍ବାଚନରେ ତାଙ୍କ ପାଖରେ ୧୬.୭୨ ଲକ୍ଷ ଟଙ୍କା ଥିଲା ବୋଲି ମମତା ଘୋଷଣା କରିଥିଲେ। ସେହି ତୁଳନାରେ ଏଥର ୧.୩ ଲକ୍ଷ ଟଙ୍କା କମ୍ ରହିଛି। ଶପଥପତ୍ରରେ ମମତା ତାଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା କିମ୍ବା ଉଧାରକରଜ ନଥିବା ଦର୍ଶାଇଛନ୍ତି। ୨୦୨୧ ମସିହାରେ ବି ସେ ସମାନ ଘୋଷଣା କରିଥିଲେ।

ମମତା ବାନାର୍ଜୀଙ୍କ ସମ୍ପତ୍ତି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାଖଲ କରିଥିବା ତାଙ୍କର ସତ୍ୟପାଠରେ ତାଙ୍କର ମୋଟ ଚଳ ସମ୍ପତ୍ତିର ମୂଲ୍ୟ ₹୧୫,୩୭,୫୦୯.୭୧ ଥିବା ଦର୍ଶାଇଛନ୍ତି। ଯାହା ୨୦୨୧ ତୁଳନାରେ ପ୍ରାୟ ₹୧.୩ ଲକ୍ଷ ଟଙ୍କା କମ୍। ପୂର୍ବ ପରି, ସେ ତାଙ୍କ ନାଁରେ କୌଣସି ଅସ୍ଥାବର ସମ୍ପତ୍ତି ଥିବା ଦର୍ଶାଇ ନାହାନ୍ତି।

ମମତା ବାନାର୍ଜୀଙ୍କ ସତ୍ୟପାଠ ଅନୁଯାୟୀ, ତାଙ୍କର ନଗଦ ବାଲାନ୍ସ ୨୦୨୧ରେ ₹୬୯,୨୫୫ ଟଙ୍କା ଥିଲା। ହେଲେ ଏବେ ₹୭୫,୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ତାଙ୍କର ସମ୍ପତ୍ତିର ସବୁଠାରୁ ବଡ଼ ଅଂଶ, ୧୨.୭ ଲକ୍ଷରୁ ଅଧିକ ଟଙ୍କା, ବ୍ୟାଙ୍କଗୁଡ଼ିକରେ ଜମା ଅଛି।

ମମତାଙ୍କ ସ୍ୱୀକାରୋକ୍ତି ଅନୁସାରେ, ଏହି ବ୍ୟାଙ୍କଗୁଡ଼ିକରେ ନିର୍ବାଚନ ଖର୍ଚ୍ଚ ପାଇଁ ଖୋଲାଯାଇଥିବା ଖାତାଗୁଡ଼ିକରେ ୪୦ ହଜାର ଟଙ୍କା ଜମା ଅଛି। ମମତା ବାନାର୍ଜୀଙ୍କ ପାଖରେ ମାତ୍ର ୯ ଗ୍ରାମ ୭୫୦ ମିଲିଗ୍ରାମ ସୁନା ରହିଛି ବୋଲି ସେ ଘୋଷଣା କରିଛନ୍ତି। ଯାହାର ବଜାର ମୂଲ୍ୟ ୧.୪୫ ହଜାର ଟଙ୍କା ହେବ। ଏସବୁ ମିସାଇଲେ ତାଙ୍କର ମୋଟ ଚଳ ସମ୍ପତ୍ତି ପାଖାପାଖି ୧୫ ଲକ୍ଷ ୩୭ ହଜାର ୫୦୯ ଟଙ୍କା ଅଛି ବୋଲି ସେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି।

ଭବାନୀପୁରରୁ ନିର୍ବାଚନ ଲଢ଼ୁଛନ୍ତି ମମତା

୨୦୨୬ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ କୋଲକାତାର ଭବାନୀପୁର ଆସନରୁ ଲଢ଼ୁଛନ୍ତି। ଏଥିପାଇଁ ସେ ବୁଧବାର ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ କମିଶନ ଏହି ସତ୍ୟପାଠକୁ ତାଙ୍କ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଯେଉଁଥିରେ ମମତା ବାନାର୍ଜୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ଆୟ ଏବଂ ସମ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

Leave a comment