କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଶାସ୍ତି ଦେବେ ସୁପ୍ରିମକୋର୍ଟ
କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ମଙ୍ଗଳବାର ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଘଣ୍ଡପୀଠ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତିଙ୍କ ସହ ଖଣ୍ଡପୀଠରେ ରହିଛନ୍ତି ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର । ମାମଲାର ନିରପେକ୍ଷ ତଦନ୍ତ ନେଇ ପ୍ରଧାନ ବିଚାରପତିଙ୍କୁ ଆବେଦନ କରାଯାଇଥିଲା। ଚିଠିରେ ଉଲ୍ଲେଖ ହୋଇଥିଲା ଯେ, ମାମଲା କେବଳ ଏକ ନିରୀହ ଜୀବନକୁ ଶେଷ କରିବା ପାଇଁ ନୁହେଁ । ଏହା ଆମ ଦେଶର ଆତ୍ମା ଉପରେ ଆକ୍ରମଣ । ଆମ ମହାନ ସମ୍ବିଧାନର ନ୍ୟାୟ ଏବଂ ମାନବିକତାର ଆଦର୍ଶ ପ୍ରତି ଘୋର ଅପମାନ। ଯେଉଁଭଳି ଭାବେ ଏକ ଜୀବନକୁ ନିର୍ମମ ଉପାୟରେ ନଷ୍ଟ କରିଦିଆଗଲା, ତାହା ଆମ ଜାତିର ସାମୂହିକ ଚେତନାକୁ ଦୋହଲାଇଦେଇଛି। ଯେଉଁ ପରିସରରେ ସେ ମାନବିକତାର ସେବା କରିଥିଲେ, ସେହି ପରିସରରେ ତାଙ୍କୁ ଅତି ନିର୍ମମ ଭାବେ ଦୁର୍ବ୍ୟବହାର କରାଯାଇ ହତ୍ୟା କରିଦିଆଗଲା। ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଆବେଦନରେ ଦାବି କରାଯାଇଛି।