ସମୁଦ୍ର ମନ୍ଥନ ଦ୍ବାରା ତେଲ ବାହାର କରିବ ଭାରତ , ଏନେଇ ଓଏନଜିସିକ ଅନ୍ତର୍ଜାତୀୟ ଟେଣ୍ଡର ଆହ୍ୱାନ ଦେଇଛି
ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ସାରା ବିଶ୍ୱକୁ ଅନିଶ୍ଚିତତା ଭିତରକୁ ଟାଣି ନେଇଛି । ଏ ଝଟକାରୁ ନିଜକୁ ସୁରକ୍ଷିତ ରଖିବାକୁ ନିଜସ୍ୱ ଶକ୍ତି ଉତ୍ସର ସନ୍ଧାନରେ ଲାଗି ପଡ଼ିଲେଣି ଅନେକ ରାଷ୍ଟ୍ର । ଭାରତ ମଧ୍ୟ ଏ କ୍ଷେତ୍ରରେ ପ୍ରସ୍ତୁତ କରୁଛି ରଣନୀତି । ଗଭୀର ସମୁଦ୍ରରେ ତୈଳ ସନ୍ଧାନ କାର୍ଯ୍ୟକୁ ଏହା କରିବ ଜୋରଦାର । ସମୁଦ୍ର ମନ୍ଥନ କରି ଦେଶ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ରଖିଛି ଲକ୍ଷ୍ୟ । ଯୁଦ୍ଧ ଯୋଗୁ ଦେଖାଦେଇଥିବା ଅବ୍ୟବସ୍ଥା ଦୀର୍ଘସ୍ଥାୟୀ ରହିବ ଏବଂ ଏଥିରୁ ରାଷ୍ଟ୍ରଗୁଡ଼ିକ ବଡ଼ ମାତ୍ରାରେ କ୍ଷତି ସହିବେ ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଚେତାବନୀ ଦେଇଛି । ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ସମସ୍ୟା ଦେଖା ଦେଇଥିବାବେଳେ ମଧ୍ୟପ୍ରାଚ୍ୟରେ ଅନେକ ତୈଳ ଓ ଗ୍ୟାସ ଭିତ୍ତିଭୂମି ନଷ୍ଟ ହୋଇଯାଇଥିବାରୁ ଯୋଗାଣ ସମସ୍ୟା ଲାଗି ରହିବ ବୋଲି ଏଜେନ୍ସି କହିଛି । ଏଭଳି ସ୍ଥିତିରେ ଭାରତ ଏବେ ଦେଶରେ ହିଁ ପର୍ଯ୍ୟାପ୍ତ ପରିମାଣର ତୈଳ ଏବଂ ଗ୍ୟାସ ଉତ୍ତୋଳନର ବାଟ ବାହାର କରୁଛି । ଓଏନଜିସି ଡିପ୍ ୱାଏନେଟର ଡ୍ରିଲିଂ ରିଗ୍ ପାଇଁ ୨୦ ବିଲିୟନ ଡଲାରର ଏକ ଅନ୍ତର୍ଜାତୀୟ ଟେଣ୍ଡର ଆହ୍ୱାନ ଦେଇଛି । ଭାରତର ଅପ୍ ଷ୍ଟ୍ରିମ୍ ରଣନୀତିରେ ଏହା ଏକ ନୂତନ ମୋଡ଼ । ୮୦ ଦିନ ମଧ୍ୟରେ ରିଗ୍ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି । ଭାରତର ତୈଳ ଉତ୍ତୋଳନ ଇତିହାସରେ ଏଭଳି ଜରୁରୀ ସ୍ଥିତି ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା ।
ଓଏନଜିସିର ତୈଳ ଖନନ ଯୋଜନାରେ ଉଭୟ ଉତ୍ପାଦନକାରୀ ଏବଂ ସୀମାନ୍ତ ବେସିନ୍ ଗୁଡ଼ିକ ଅନ୍ତର୍ଭୁକ୍ତ । କମ୍ପାନୀ କ୍ରିଷ୍ଣା-ଗୋଦାବରୀ ବେସିନରେ ଏହାର ଉତ୍ତୋଳନ କାର୍ଯ୍ୟକଳାପକୁ ବଢ଼ାଉଛି ଏବଂ ଏହାସହିତ ଆଣ୍ଡାମାନରେ ଅତି-ଗଭୀର ଜଳ ଜୋନ୍ ଗୁଡ଼ିକରେ ତୈଳର ସନ୍ଧାନ ପାଇଁ ଏହା ବଢୁଛି । ଆଣ୍ଡାମାନ ହେଉଛି ଏଭଳି ଏକ ସ୍ଥାନ, ଯାହା ଭୌଗୋଳିକ ଦୃଷ୍ଟିରୁ ଉନ୍ନତ କିନ୍ତୁ ଏଠାରେ ଏଯାବତ୍ ତୈଳର ସନ୍ଧାନ କ ରାଯାଇନାହିଁ । ତେବେ ତୈଳର ସନ୍ଧାନ ପାଇଁ ବିଶ୍ୱର ବଡ଼ ବଡ଼ କମ୍ପାନୀ ଯେପରି ବିପି,ଏକ୍ଜନମୋବିଲ, ଟୋଟଲ ଏନର୍ଜି ଏବଂ ପେଟ୍ରୋବ୍ରାସ୍ ସହ ସହଯୋଗିତା କରାଯାଇଛି । ଭାରତ ଏହି କମ୍ପାନିଗୁଡ଼ିକର ପ୍ରଯୁକ୍ତିବିଦ୍ୟା ଏବଂ ଅଭିଜ୍ଞତାକୁ ବ୍ୟବହାର କରି ଆଣ୍ଡାମାନ ଭଳି ସ୍ଥାନରେ ତୈଳର ସନ୍ଧାନ କରିବ ।
ଗଭୀର ଜଳ ତୈଳ ଉତ୍ତୋଳନ ଅତ୍ୟନ୍ତ ବ୍ୟୟବହୁଳ ଏବଂ ଅନିଶ୍ଚିତ ବ୍ୟାପାର କିନ୍ତୁ ଏହା ମାଧ୍ୟମରେ ପ୍ରଚୁର ମାତ୍ରାରେ ତୈଳର ସନ୍ଧାନ ବି କରାଯାଇପାରେ,ଯାହା ଭାରତରେ ତୈଳ ଉପଲବ୍ଧତା ବୃଦ୍ଧି କରିବ ଏବଂ ଦେଶକୁ ଏ କ୍ଷେତ୍ରରେ ଆତ୍ମନିର୍ଭର କରିବ । ଭାରତ ବର୍ଷକୁ ପ୍ରାୟ ୩୦ଟି ତୈଳ କୂପ ଖୋଳୁଛି । ସମୁଦ୍ରମନ୍ଥନ ଅଧୀନରେ ଏହି ସଂଖ୍ୟା ଆଗାମୀ ୫ ବର୍ଷ ପାଇଁ ବର୍ଷକୁ ୧୦୦କୁ ବଢ଼ିବ । ଏହି ୧୦୦ କୂପ ମଧ୍ୟରୁ ପ୍ରାୟ ୨୫ଟି ଗଭୀର ଜଳ କ୍ଷେତ୍ରକୁ ଟାର୍ଗେଟ କରିବ । ଆଗାମୀ ଦୁଇ ଦଶନ୍ଧିରେ ହାଇଡ୍ରୋକାର୍ବନ ଭଣ୍ଡାର ବଡ଼ ଆକାରରେ ବଢ଼ିବ ବୋଲି ଆକଳନ କରାଯାଇଛି । ସେହିଭଳି ଘରୋଇ ଅଶୋଧିତ ତୈଳ ଏବଂ ଗ୍ୟାସ ଉତ୍ପାଦନ ବୃହତ୍ ମାତ୍ରାରେ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଆଂଶିକ ସଫଳତା ବି ଆମଦାନି ଉପରେ ଭାରତର ଅତ୍ୟଧିକ ନିର୍ଭରତାକୁ ଅନେକ ମାତ୍ରାରେ ହ୍ରାସ କରିବ ଏବଂ ବାହ୍ୟ ଝଟକାରୁ ଦେଶକୁ ସୁରକ୍ଷିତ ରଖିବ । ଉକ୍ତ କ୍ଷେତ୍ରରେ ସମୁଦ୍ର ମନ୍ଥନ କେବଳ ଏକ ଶକ୍ତି କାର୍ଯ୍ୟକ୍ରମ ନୁହେଁ । ଏହା ଏକ ମାକ୍ରୋ-ଅର୍ଥନୈତିକ ରିସ୍କ ପରିଚାଳନା ରଣନୀତି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।