ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ଅନେକ ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌ ଶେଷରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ଜାଲରେ ପଡ଼ିଛନ୍ତି। ‘ଲେଡି ଡନ’ ଭାବେ ପରିଚିତ ଏହି ୩୩ ବର୍ଷୀୟା ଗ୍ଲାମରସ୍‌ ମହିଳାଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କଠାରୁ ୨୨୫ ଗ୍ରାମ୍‌ ହେରୋଇନ୍‌ ଜବତ ହୋଇଛି, ଯାହାର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ। ଜୋୟା ଜେଲରେ ଥିବା ତାଙ୍କ ସ୍ବାମୀ ହାଶିମ ବାବାଙ୍କ ଗ୍ୟାଙ୍ଗ୍‌କୁ ଚଳାଇ ଆସୁଥିଲେ। ସେ ଡ୍ରଗ୍ସ ଚାଲାଣରେ ସମ୍ପୃକ୍ତ ଥିବା ପୋଲିସ ଖବର ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତାଙ୍କ ସମ୍ପର୍କରେ ପ୍ରମାଣ ଏକାଠି କରିଥିଲା। ବୁଧବାର ସେ କୌଣସି ବ୍ୟକ୍ତିଙ୍କୁ ଡ୍ରଗ୍ସ ହସ୍ତାନ୍ତର କରିବାକୁ ଥିବା ପୋଲିସ ଜାଣିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।
ହାଶିମ୍‌ ବାବା ହେଉଛନ୍ତି ଜୋୟାଙ୍କ ତୃତୀୟ ସ୍ବାମୀ। ତାଙ୍କ ନାଁରେ ହତ୍ୟା, ବଟି ଆଦାୟ, ଅସ୍ତ୍ର ଚୋରାଚାଲାଣ ଆଦି ମାମଲା ରହିଛି। ବାବା ଜେଲ୍‌ ଯିବା ପରେ ଜୋୟା ତାଙ୍କ କ୍ରାଇମ୍‌ ସିଣ୍ଡିକେଟ୍‌କୁ ନିୟନ୍ତ୍ରଣ କରୁଥିଲେ। ସେ ବଟି ଆଦାୟ ଏବଂ ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ କହିଛି।