ନିର୍ବାଚନୀ ବଣ୍ଡ୍ ତାଲିକା ପ୍ରକାଶ ପାଇଲା
ବହୁ ତର୍କ ବିତର୍କ ପରେ ଶେଷରେ ନିର୍ବାଚନୀ ବଣ୍ଡ୍ ତାଲିକା ପ୍ରକାଶ ପାଇଲା । ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍ରେ ରଖିଛନ୍ତି। ଏକ ଲକ୍ଷ, ୧୦ ଲକ୍ଷ ଏବଂ କୋଟିଏ ଟଙ୍କିଆ ନିର୍ବାଚନୀ ବଣ୍ଡ୍ ବିକ୍ରି କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍। କେଉଁ ସଂସ୍ଥା କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ଏବଂ କେଉଁ ଦଳ ଏହି ବଣ୍ଡ୍ ଗ୍ରହଣ କରିଛନ୍ତି ତାହା ଏହି ତାଲିକାରେ ଉଲ୍ଲେଖ ରହିଛି। କିନ୍ତୁ କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କାର ବଣ୍ଡ୍ ଦେଇଛନ୍ତି ସଂପର୍କରେ ଏଥିରେ କୌଣସି ସୂଚନା ଦିଆଯାଇ ନାହିଁ।
ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଥିବା ସମୟର ୨୪ ଘଣ୍ଟା ପୂର୍ବରୁ କମିସନ ଏହି ତଥ୍ୟ ତାଘଙ୍କ ୱେବସାଇଟ୍ରେ ଅପଲୋଡ୍ କରିଛନ୍ତି। ଏଥିପାଇଁ https://www.eci.gov.in/candidate-politicalparty ଲିଙ୍କ୍ ପ୍ରଦାନ କରାଯାଇଛି। ଦୁଇଟି ଭାଗରେ ମୋଟ୍ ୭୬୩ ପୃଷ୍ଠାରେ ଏହି ତଥ୍ୟ ପ୍ରକାଶ କରାଯାଇଛି। ପ୍ରଥମ ଭାଗରେ କେଉଁ ବ୍ୟକ୍ତି ଓ ସଂସ୍ଥା କେତେ ତାରିଖରେ କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ତାହାର ସୂଚନା ଦିଆଯାଇଛି। ୩୩୭ ପୃଷ୍ଠା ବିଶିଷ୍ଟ ଏହି ପ୍ରଥମ ଭାଗ ରିପୋର୍ଟରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୧୧ ପର୍ଯ୍ୟନ୍ତ କିଏ ନିର୍ବାଚନୀ ବଣ୍ଡ୍ କିଣିଛି ତାହାର ତଥ୍ୟ ଦର୍ଶାଯାଇଛି। ସେହିଭଳି ଦ୍ବିତୀୟ ଭାଗରେ ୪୨୬ ପୃଷ୍ଠାର ରିପୋର୍ଟ ସାର୍ବଜନୀନ କରାଯାଇଛି। ଏଥିରେ କେଉଁ ଦଳ ବଣ୍ଡ ଜମା କରି କେତେ ଟଙ୍କା ଉଠାଇଛନ୍ତି ତାହା ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସଂପର୍କରେ ଏହି ଦ୍ବିତୀୟ ଭାଗ ରିପୋର୍ଟରେ ଦର୍ଶାଯାଇଛି। ଏହି ବଣ୍ଡ୍ର ମୂଲ୍ୟ ଥିଲା ଏକ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ଏବଂ ଏକ କୋଟି ଟଙ୍କା। ଯେଉଁ ସଂସ୍ଥା ଏହି ବଣ୍ଡ୍ କିଣିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଫ୍ୟୁଚର ଗେମିଂ ଏଣ୍ଡ ହୋଟେଲ ସର୍ଭିସେସ୍, ମେଘା ଇଞ୍ଜିନିୟରିଂ ଏଣ୍ଡ ଇନଫ୍ରାଷ୍ଟ୍ରକଚର, କ୍ବିକ୍ ସପ୍ଲାଏ ଚେନ୍, ଗ୍ରାସିମ ଇଣ୍ଡଷ୍ଟ୍ରିଜ୍, ଆପୋଲୋ ଟାୟର୍ସ, ଭାରତୀ ଏୟାରଟେଲ, ବେଦାନ୍ତ, ଡିଏଲ୍ଏଫ୍, ଲକ୍ଷ୍ମୀ ମିତ୍ତଲ, ଟୋରେଣ୍ଟ ପାୱାର,ସନ୍ ଫାର୍ମା, ଏବିସି ଇଣ୍ଡିଆ, ଏସେଲ ମାଇନିଂ, ପିରାମଲ ଏଣ୍ଟରପ୍ରାଇଜେସ୍। ଏହି ନିର୍ବାଚନୀ ବଣ୍ଡ୍ ଜମା କରି ବ୍ୟାଙ୍କରୁ ଟଙ୍କା ଉଠାଇଥିବା ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ୍, ଟିଡିପି, ବିଆର୍ଏସ୍, ୱାଇଏସ୍ଆର କଂଗ୍ରେସ, ଜେଡିଏସ୍, ଡିଏମ୍କେ, ଏଆଇଏଡିଏମ୍କେ, ଏନ୍ସିପି, ଆର୍ଜେଡି, ସମାଜବାାଦୀ ପାର୍ଟି, ଶିବସେନା ଆଦି ରହିଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କେଉଁ ସଂସ୍ଥା କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି ତାହା ଏଥିରେ ଉଲ୍ଲେଖ କରାଯାଇ ନାହିଁ।
ଫ୍ୟୁଚର ଗେମିଂ ଏଣ୍ଡ ହୋଟେଲ ସର୍ଭିସେସ୍ ସର୍ବାଧିକ ୧୩୬୮କୋଟି ଟଙ୍କାର ବଣ୍ଡ୍ କିଣିଥିବା ବେଳେ ଏହା ପଛକୁ ରହିଛି ମେଘା ଇଞ୍ଜିନିୟରିଂ ଏଣ୍ଡ ଇନଫ୍ରାଷ୍ଟ୍ରକଚର (୯୬୬ କୋଟି ଟଙ୍କା), କ୍ବିକ୍ ସପ୍ଲାଏ ଚେନ୍ (୪୧୦ କୋଟି ଟଙ୍କ) ବେଦାନ୍ତ (୪୦୦ କୋଟି ଟଙ୍କା), ହଲଦିଆ ଏନର୍ଜି (୩୭୭ କୋଟି) ଭାରତୀୟ ଗ୍ରୁପ୍ (୨୪୭ କୋଟି) ଏବଂ ଏସେଲ ମାଇନିଂ (୨୨୪ କୋଟି ଟଙ୍କା)।