ବାଂଲାଦେଶରେ BNP ର ବଡ଼ ବିଜୟ!,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଂଲାଦେଶରେ BNP ର ବଡ଼ ବିଜୟ! ।  ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ।  ଶେଖ୍  ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ  ।  ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ ।   ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଐତିହାସିକ ବିଜୟ ହାସଲ କରିଛି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ବାଂଲାଦେଶ ସଂସଦୀୟ ନିର୍ବାଚନରେ ​​BNPକୁ ଏକ ନିର୍ଣ୍ଣାୟକ ବିଜୟ ହାସଲର ନେତୃତ୍ୱ ନେବା ପାଇଁ ମୁଁ ଶ୍ରୀ ତାରିକ ରହମାନଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଏହି ବିଜୟ ବାଂଲାଦେଶର ଲୋକଙ୍କର ଆପଣଙ୍କ ନେତୃତ୍ୱ ଉପରେ ଥିବା ଗଭୀର ବିଶ୍ୱାସକୁ ପ୍ରତିଫଳିତ କରେ ।”ଏଥିସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ହେବ ବୋଲି କହିଛନ୍ତି ମୋଦି ।

ସୂଚନାନୁଯାୟୀ, ୨୦୨୪ର ଛାତ୍ର ଆନ୍ଦୋଳନ ଏବଂ ଶେଖ ହସିନାଙ୍କ ସରକାର ପତନ ପରେ ଏହା ଥିଲା ଦେଶର ପ୍ରଥମ ବଡ଼ ନିର୍ବାଚନ । ୨୯୯ଟି ଆସନ ମଧ୍ୟରୁ BNP ମେଣ୍ଟ ଡବଲ ସେଞ୍ଚୁରୀ ମାରିଛି ।  ଏହା ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୫୧ ସଂଖ୍ୟାଠାରୁ ବହୁତ ଅଧିକ ।   ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଫେରିଥିବା ତାରିକ୍ ରହମାନ ଢାକା-୧୭ ଏବଂ ବୋଗ୍ରା-୬ ଦୁଇଟିଯାକ ଆସନରୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ।  ନିର୍ବାଚନ କମିଶନଙ୍କ ଅନୁସାରେ ପ୍ରାୟ ୬୦.୬୯% ମତଦାନ ହୋଇଛି । ବହୁ ବର୍ଷ ପରେ ଲୋକମାନେ ଉତ୍ସାହର ସହ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଦେଇଛନ୍ତି ।

ଅନ୍ୟପଟେ  BNP ର ପ୍ରତିଦ୍ୱନ୍ଦ୍ୱୀ ଜମାତ ମେଣ୍ଟ ମାତ୍ର ୬୨ ରୁ ୭୦ଟି ଆସନରେ ସୀମିତ ରହିଛି । ଏହି ବିଜୟ ବାଂଲାଦେଶ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ କରିଛି । BNP ନେତାମାନେ ଏହାକୁ “ଜନତାର ବିଜୟ” ବୋଲି କହିଛନ୍ତି ଏବଂ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

Leave a comment