ନକଲି ହେଲ୍‌ମେଟ୍ ବିରୁଦ୍ଧରେ ଆରମ୍ଭ ହେଲା ଅଭିଯାନ

ରାସ୍ତାକଡ଼ରେ ବିକ୍ରି ହେଉଥିବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟ୍‌କୁ ନେଇ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଆଇଏସ୍ ଓ ଆଇଏସ୍ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍ ନିର୍ମାତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖିଛନ୍ତି।

୧୬୨ ହେଲ୍‌ମେଟ୍‌ ଉତ୍ପାଦନକାରୀ କମ୍ପାନୀଙ୍କ ଲାଇସେନ୍ସ ବାତିଲ କରାଯାଇଛି। ସଡ଼କ ସୁରକ୍ଷା ସଚେତନତା ଅଭିଯାନ ସହ ଏହାକୁ ଯୋଡ଼ିବା ଏବଂ ଆବଶ୍ୟକ ସ୍ଥଳେ ଆରକ୍ଷୀ ଅଧୀକ୍ଷକ ଓ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଫିଲ୍ଡ ଅଫିସରମାନଙ୍କ ସାହାଯ୍ୟ ନେବାକୁ ଜିଲ୍ଲା ପ୍ରଶାସନକୁ ଚିଠିରେ ପରାମର୍ଶ ଦିଆଯାଇଛି। ପୁଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଅଭିଯାନ ପ୍ରତି ସହଯୋଗ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଶାଖା କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।