ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ଏବେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଛି ବିଜେପି ବିଧାୟକ ଦଳ । ଏହି କ୍ରମରେ ପୂର୍ବରୁ ଆଲୋଚନା ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାବା ବାଳକନାଥଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରୁ ଆସିଥିବା ବିଜେପିର ପର୍ଯ୍ୟବେକ୍ଷକ ଟିମ୍ ବିଧାୟକଦଳ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛି । ଭରତପୁରରେ ରହୁଥିବା ଭଜନଲାଲ୍ ଶର୍ମା ଦୀର୍ଘଦିନ ହେବ ବିଜେପି ସହ ଜଡିତ । ସେ ରାଜ୍ୟରେ ବିଜେପି ମହାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବିଜେପି ତାଙ୍କୁ ପ୍ରଥମଥର ପାଇଁ ଜୟପୁର ସାଂଗାନେର ଭଳି ସୁରକ୍ଷିତ ଆସନରୁ ଟିକେଟ ଦେଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପାଇଁ ଦଳ ତାଙ୍କୁ ଚୟନ କରିଛି ।
ସେହିପରି ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦିୟା କୁମାରୀ ଓ ପ୍ରେମଚାନ୍ଦ ବୈରୱାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ଅପରରପକ୍ଷରେ ବିଧାୟକ ବାସୁଦେବ ଦେବନାନୀ ବାଚସ୍ପତି ହେବେ ବୋଲି ବିଜେପି ନିଷ୍ପତ୍ତି ନେଇଛି।
ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମା କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା। ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଥିବାବେଳେ ସେ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ଭଜନଲାଲ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଥିବାବେଳେ ଆରଏସ୍ଏସ୍ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ।