ମାଲବାହୀକୁ ଧକ୍କା ଦେଲା ବାଗମତୀ ଏକ୍ସପ୍ରେସ୍‌

ତାମିଲନାଡ଼ୁର ତିରୁବଲ୍ଲୁରରେ ଆଜି ରାତିରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ (୧୨୫୭୮) ସହ ମାଲବାହୀ ଟ୍ରେନ୍‌ର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଗମତୀ ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ସହ  ଦୁଇଟି ବଗିରେ ନିଆଁ ଲାଗିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବା ଆରମ୍ଭ ହୋଇଛି। ଦୁର୍ଘଟଣାରେ ଆହତ ୧୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ତିରୁବଲ୍ଲୁର ଜିଲ୍ଲାପାଳ ଟି.ପ୍ରଭୁଶଙ୍କର କହିଛନ୍ତି ଯେ ରାତି ପ୍ରାୟ ସାଢ଼େ ୮ଟାରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଓ  ଏସ୍‌ଡିଆର୍‌ଏଫ୍‌ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ୨୦ରୁ ଅଧିକ ଆମ୍ବୁଲାନ୍ସ  ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍‌ ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୭୫ କିମି ଥିଲା ଏବଂ ମାଲବାହୀ ଗାଡ଼ି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନ୍‌ରେ ଏହା ପ୍ରବେଶ କରି ଧକ୍କା ହୋଇଥିଲା ବୋଲି ଜଣାପଡ଼ିଛି।

ଚେନ୍ନାଇ ନିକଟ କାଭରପଟ୍ଟାଇ ଷ୍ଟେସନ ନିକଟରେ  ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ଦ୍ରୁତ ଗତିରେ ଆସୁଥିବା ମହୀଶୂର-ଦରଭଙ୍ଗା ବାଗମତୀ ଏକ୍ସପ୍ରେସ୍‌ ଧକ୍କା ଦେଇଥିଲା। ଏହା ପରେ ଦୁଇଟି ବଗିରେ ତତ୍‌କ୍ଷଣାତ ନିଆଁ ଲାଗିଯାଇଥିଲା। ବଗି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଚେନ୍ନାଇ ରେଳ ଡିଭିଜନ୍‌ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ୦୪୪-୨୫୩୫୪୧୫୧, ୦୪୪-୨୪୩୫୪୯୯୫ ଜାରି ହୋଇଛି।