ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ, ପଡ଼ୋଶୀ ରାଷ୍ଟ୍ରକୁ ଚେତାବନୀ ଦେଲେ ରାଜନାଥ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ବିନା ଜମ୍ମୁ-କଶ୍ମୀର ଅସମ୍ପୂର୍ଣ୍ଣ। ପିଓକେରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଆତଙ୍କବାଦୀ ଶିବିର ପରିଚାଳନା କରୁଥିବାରୁ ରାଜନାଥ ଏନେଇ ପଡ଼ୋଶୀ ରାଷ୍ଟ୍ରକୁ ଚେତାବନୀ ଦେଇଛନ୍ତି। ରାଜନାଥ କହିଛନ୍ତି, ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ। ପିଓକେ ପାକିସ୍ତାନର ଏକ ବିଦେଶୀ ପରିସର ଛଡ଼ା ଅନ୍ୟ କିଛି ନୁହେଁ। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପିଓକେ ମାଟିକୁ ବ୍ୟବହାର କରାଯାଉଛି। ପିଓକେରେ ଆତଙ୍କବାଦୀଙ୍କ ତାଲିମ ଶିବିର ଚାଲିଛି।
ପାକିସ୍ତାନ ଆତଙ୍କବାଦୀ ଶିବିରକୁ ଧ୍ବଂସ କରିବାକୁ ପଡ଼ିବ, ନଚେତ୍ ଏହାକୁ ପରିଣାମ ଭୋଗିବାକୁ ହେବ ବୋଲି ରାଜନାଥ ଜମ୍ମୁ କଶ୍ମୀରର ଅଖନୁରରେ ନବମ ସେନା ବାହିନୀ ‘ଭେଟେରାନ୍ସ ଡେ’ କାର୍ଯ୍ୟକ୍ରମରେ କହିଛନ୍ତି। ରାଜନାଥ କହିଛନ୍ତି, ୧୯୬୫ରେ ସୀମାପାର ଆତଙ୍କବାଦ ଶେଷ ହୋଇପାରିଥାନ୍ତା, କିନ୍ତୁ ତତ୍କାଳୀନ ସରକାର ଏଥିରେ ସକ୍ଷମ ହୋଇନଥିଲେ। ରାଜନାଥ କହିଛନ୍ତି, ‘ଆମର ମୁସ୍ଲିମ ଭାଇମାନେ ଆତଙ୍କବାଦ ବିରୋଧରେ ସେମାନଙ୍କ ଜୀବନ ଦେଇଥିଲେ। ୮୦ ପ୍ରତିଶତରୁ ଅଧିକ ଆତଙ୍କବାଦୀ ପାକିସ୍ତାନ ପଟୁ ଭାରତକୁ ପ୍ରବେଶ କରୁଛନ୍ତି। ବର୍ତ୍ତମାନ ଆମ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି କଶ୍ମୀର ଏବଂ ଦେଶର ଅନ୍ୟ ଅଂଶ ମଧ୍ୟରେ ଥିବା ଦୂରତାକୁ କମାଇବା।’