ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା
ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା। ଏଥିରେ ନା ସେ କାହାର ନାଁ ନେଇଛନ୍ତି ନା କାହାକୁ ସମାଲୋଚନା କରିଛନ୍ତି। କେବଳ ରାଜ୍ୟସଭାରେ ସେ ଦେଇଥିବା କିଛି ଓଜସ୍ୱୀନ ଭାଷଣର ଛୋଟ ଛୋଟ ଯୋଡ଼ା ହୋଇଥିବା ଅଂଶକୁ ଶେୟାର କରିଛନ୍ତି।
ଏହି ଭିଡିଓରେ ବୈତନିକ ପିତୃତ୍ୱ ଛୁଟି ପ୍ରସଙ୍ଗ ଠାରୁ ଆରମ୍ଭ କରି ଡାଟା ରୋଲ ଆଉଟ୍ ପର୍ଯ୍ୟନ୍ତ ତର୍କ ରହିଛି। ସଂସଦରେ ବାୟୁ ପ୍ରଦୂଷଣ ଏବଂ ବୃଦ୍ଧି ପାଉଥିବା ବିମାନ ଭଡ଼ା ଠାରୁ ଆରମ୍ଭ କରି ଶ୍ରମିକଙ୍କ ଅଧିକାର ଏବଂ ମୋବାଇଲ୍ ପ୍ରିପେଡ୍ ଯୋଜନାର ୨୮ ଦିନର ବୈଧତା ଆଦି ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଅକାଟ୍ୟ ଯୁକ୍ତିଗୁଡ଼ିକୁ ସଂକଳିତ କରାଯାଇଛି। ଏହି ଛୋଟିଆ ଭିଡିଓ ଶେୟାର କରିବା ସହିତ ଶ୍ରୀ ଚଢା ଅଶୁଭ ଦୃଷ୍ଟି ନ ଲାଗିବା ପାଇଁ ବ୍ୟବହାର ହେଉଥିବା ଏକ ତାବିଜର ଇମୋଜି ଲଗାଇଛନ୍ତି।
ରାଘବ ଚଢାଙ୍କ ଗତି କେଉଁଠି?
ଚଢା ଏହି ଇମୋଜୀ କାହିଁକି ଦେଲେ ଓ କାହାକୁ ଇଙ୍ଗିତ କରି ଦେଲେ ତାହାତ ଜଣାପଡ଼ି ନାହିଁ, ତେବେ ତାଙ୍କର ଏହି ପୋଷ୍ଟରୁ ଏହା ସ୍ପଷ୍ଟ ଯେ ସେ ଅଯଥା ବିବାଦକୁ ଯିବାକୁ ଚାହୁଁ ନାହାନ୍ତି। ସମୟ ସୁବିଧା ଦେଖି ସେ ଛକା ମାରିପାରନ୍ତି ବୋଲି ବିଶେଷଜ୍ଞ କହିଛନ୍ତି। କୁହାଯାଉଛି ସେ ବିଜେପି ସହ ଲିଙ୍କରେ ଅଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ତାଙ୍କୁ ପଞ୍ଜାବରୁ ମୁଖ୍ୟମନ୍ତ୍ରୀ କରାଇପାରେ ବୋଲି କୁହାଯାଉଛି। ହେଲେ ପ୍ରସଙ୍ଗରେ ନା ଆମ ଆଦମୀ ପାର୍ଟି ନା ରାଘବ ଚଢା ନା ବିଜେପି କାହାରି ପାଖରୁ କୌଣସି ଖବର ସାମ୍ନାକୁ ଆସୁ ନାହିଁ।
ପଦରୁ ହଟାଇବାକୁ ଚିଠି ଲେଖିଥିଲା ଆପ୍
ଗୁରୁବାର ସକାଳେ, ଆପ ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ଚଢାଙ୍କୁ ଦଳର ଉପନେତା ପଦରୁ ହଟାଇବାକୁ କହିଥିଲା। ଏବଂ ଗୃହରେ ତାଙ୍କୁ କହିବାକୁ ଅନୁମତି ନ ଦେବାକୁ ମଧ୍ୟ ଦଳ ଚିଠିରେ ଲେଖିଥିଲା। ରାଘବଙ୍କ ସ୍ଥାନରେ ଆପ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲା।ଆମ ଆଦ୍ମୀ ପାର୍ଟିର ଏଭଳି ପଦକ୍ଷପେକୁ ନେଇ ଦଳ ଭିତରେ କନ୍ଦଳ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନୂଆ ରାଜ୍ୟସଭା ଉପନେତା ନିଯୁକ୍ତ ହୋଇଥିବା ଅଶୋଖ ମିତ୍ତଲ କିନ୍ତୁ କଥାକୁ ଖଣ୍ଡନ କରିଛନ୍ତି। ଦଳ ଭିତରେ ସେମିତି କିଛି ନଥିଲା କି ଏବେ ନାହିଁ । ଏହା କେବଳ ରୁଟିନ ଚେଞ୍ଜ। ସମସ୍ତଙ୍କୁ ସୁଯୋଗ ମିଳିବା ଦରକାର ବୋଲି ଦଳ ବିଚାର କରେ ବୋଲି ଅଶୋକ ମିତ୍ତଲ କହିଛନ୍ତି।
ଦଳରୁ ଦୂରେଇ ଯାଉଛନ୍ତି ଚଢା!
ଆପ ଏବଂ ଏହାର ଶୀର୍ଷ ନେତୃତ୍ୱ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ ଚଢାଙ୍କ ନିରବତା ମଧ୍ୟରେ ନାନା କଥା ସାମ୍ନାକୁ ଆସୁଥିଲା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଦ ଦୁର୍ନୀତି ମାମଲାରେ ଯେତେବେଳେ କେଜ୍ରିୱାଲଙ୍କୁ ଗିରଫ କରାଗଲା, ସେତେବେଳେ ଚଢା ବିଳମ୍ବରେ ପ୍ରତିକ୍ରିୟା ଦେଇଥିଲେ। ୟୁକେରେ ଆଖି ଅସ୍ତ୍ରୋପଚାରରୁ ସୁସ୍ଥ ହେବାକୁ ସମୟ ଲାଗିଲା ବୋଲି ଚଢା କାରଣ ଦର୍ଶାଇଥିଲେ।
ଏହାପରେ ରାଘବ ଦଳରୁ ଧୀରେ ଧୀରେ ଦୂରତା ବଜାଇ ରଖୁଥିଲେ। ୨୦୨୬ ଫେବୃଆରୀରେ ମାସରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟ ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂଅନ୍ୟମାନଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଏହାକୁ ନେଇ ଆପ୍ ଦଳରେ ହଇଚଇ ସୃଷ୍ଟି ହୋଇଥିଲା। ସଞ୍ଜୟ ସିଂହଙ୍କ ଠାରୁ ଆରମ୍ଭ କରି ଆପ୍ର ବଡ଼ ବଡ଼ ନେତା ବେଜେପି ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ରାଘବ ଚଢା କିନ୍ତୁ ନିରବ ରହିଲେ। ସୋସିଆଲ୍ ମିଡିଆରେ ତାଙ୍କର କୌଣସି ଗୋଟିଏ ବି ପୋଷ୍ଟ ବି ଦେଖିବାକୁ ମିଳିଲା ନାହିଁ। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢିଗଲା।
ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତି
ରାଘବ ଚଢା କେବଳ ଯେ ଦଳ ସମ୍ପର୍କିତ କୌଣସି ମନ୍ତବ୍ୟ ଦେଉ ନଥିଲେ, ତାହା ନୁହେଁ, ତାଙ୍କୁ କୌଣସି ଦଳୀୟ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ଫଳରେ ରାଘବ ଚଢା ଯେ ଏବେ ଆଉ ଆପ୍ରେ ନାହାନ୍ତି, ତାହା ରାଜନୈତିକ ପରିବେଶରେ ଖୁବ୍ ଚର୍ଚ୍ଚା ସାଉଁଟିଲା। ଦୋଷମୁକ୍ତ ହେବା ପରେ କେଜରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ, ଜନ୍ତରମନ୍ତରରେ ଜନସଭା ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରାଘବ ଅନୁପସ୍ଥିତ ରହିଲେ। ଘଟଣାକୁ ନେଇ ଦଳୀୟ ନେତାଙ୍କୁ ବାରମ୍ବାର ପ୍ରଶ୍ନ କରାଯାଇଥିଲେ ମଧ୍ୟ ନେତାମାନେ କୌଣସି ଫାଟ ନଥିବା କହିଥିଲେ। ରାଘବ ଦଳରୁ ଦୂରେଇ ନାହାନ୍ତି ସେ ଆମ ସହ ଅଛନ୍ତି ବୋଲି ଆପ ସାଂସଦ ସଞ୍ଜୟ ସିଂହ କହିଥିଲେ।
ରାଜନୀତିରେ ଏଣ୍ଟ୍ରି କରିବା ପୂର୍ବରୁ ଏକାଧିକ ବଡ଼ ବଡ଼ କମ୍ପାନୀରେ ଜଣେ ପେଷାଦାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିସାରିଥିବା ୩୭ ବର୍ଷୀୟ ଚଢା ୨୦୧୨ରେ ଆପରର ପ୍ରତିଷ୍ଠା ପର ଠାରୁ ଦଳ ସହ ରହିଛନ୍ତି। ଗୋଟେ ସମୟରେ ଚଢାଙ୍କୁ କେଜରିୱାଲଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ସେ ଦଳର ଜାତୀୟ କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ଆପର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି, ଏହାର ରାଜନୈତିକ ବ୍ୟାପାର କମିଟିର ମଧ୍ୟ ସଦସ୍ୟ ରହିଛନ୍ତି।
ରାଜ୍ୟସଭା ଚାମ୍ପିୟନ ରାଘବ
ଦିଲ୍ଲୀରେ ବିଧାୟକ ଥିବା ସମୟରେ ରାଜ୍ୟସଭାକୁ ଯାଇଥିଲେ। ସଂସଦର ଉଚ୍ଚ ସଦନରେ ସବୁଠାରୁ କମ ବୟସରେ ସାଂସଦଙ୍କ ମଧ୍ୟରେ ଚଢାଙ୍କ ନାଁ ରହିଥିଲା। ରାଜ୍ୟସଭାରେ ଏଣ୍ଟ୍ରି ମାରିବା ପରେ ଚଢା ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଉଥିବା ସମସ୍ୟା ଗୁଡ଼ିକୁ ଉଠାଇ ସେ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଲୋକେ କହୁଥିଲେ ରାଜ୍ୟସଭା ଚାମ୍ପିୟନ ରାଘବ।
ଦେଶର ବିଭିନ୍ନ ବିମାନବନ୍ଦରରେ ବଜେଟ୍ ଅନୁକୂଳ ଖାଦ୍ୟ ବିକଳ୍ପର ଅଭାବ ଉପରେ ସେ ଆଲୋକପାତ କରିଥିଲେ। ତାଙ୍କର ଏହି ଆଲୋଚନାର ଫଳସ୍ୱରୂପ ଉଡାନ ଯାତ୍ରୀ କାଫେର ପ୍ରଚଳନ ହୋଇଥିଲା। ଯେଉଁଠି ସୁଲଭ ମୂଲ୍ୟରେ ଜଳଖିଆ ପ୍ରଦାନ କରାଯାଉଛି। କ୍ୱିକ କମର୍ସ କମ୍ପାନୀଗୁଡ଼ିକର ୧୦ ମିନିଟ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ ସେ ରାଜ୍ୟସଭାରେ ଉଠାଇଥିଲେ। ଏଥିରେ ଗିଗ୍ ୱାର୍କର୍ସଙ୍କର ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ। ଗିଗ୍ ୱାର୍କର୍ସଙ୍କର ବିପଦପୂର୍ଣ୍ଣ ଜୀବନଶୈଳୀକୁ ଲୋକ ଲୋଚନକୁ ଆଣିବାକୁ ସେ ବ୍ଲିଙ୍କିଟ୍ ଡେଲିଭରି କାର୍ଯ୍ୟନିର୍ବାହୀ ଭାବରେ ଗୋଟିଏ ଦିନ ବିତାଇଥିଲେ। ଯାହା ସାରା ଦେଶରେ ଆଲୋଚନା ହୋଇଥିଲା।
ସଂସଦର ଚଳିତ ବଜେଟ ଅଧିବେଶନରେ, ସେ ଭାରତରେ ଦେୟଯୁକ୍ତ ପିତୃତ୍ୱ ଛୁଟିକୁ ଆଇନଗତ ଅଧିକାର କରିବା ପାଇଁ ଏକ ଆଇନ ଆଣିବାକୁ ଦାବି କରିଥିଲେ। ୩୦-ଦିନିଆ ଟେଲିକମ୍ ଟାରିଫ୍ ଯୋଜନା ଏବଂ ମୋବାଇଲ୍ ଡାଟା ରୋଲଓଭର ଏବଂ ସ୍ଥାନାନ୍ତରରେ ଅଧିକ ନମନୀୟତା ପାଇଁ ଆହ୍ୱାନ ଦେଇ ଗ୍ରାହକ ଅଧିକାର ପ୍ରସଙ୍ଗଗୁଡ଼ିକୁ ସକ୍ରିୟ ଭାବରେ ଉଠାଇଛନ୍ତି। ସେ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଚଢା ବର୍ତ୍ତମାନ ଦଳର ପଞ୍ଜାବ ସହ-ପ୍ରଭାରୀ ଭୂମିକାରେ ଅଛନ୍ତି।