ନୂଆ ରୂପ ପାଇବ ଓଡ଼ିଶାର ୨୫ ଷ୍ଟେସନ୍‌

ଭୁବନେଶ୍ବର: ‘ଅମୃତ ଭାରତ ଷ୍ଟେସନ୍‌ ଯୋଜନା’ରେ ସାରା ଦେଶରେ ୫୦୮ଟି ରେଳଷ୍ଟେସନ୍‌ର ବିକାଶ କରାଯିବ। ଏହା ମଧ୍ୟରେ ଓଡ଼ିଶାର ରହିଛି ୨୫ଟି ଷ୍ଟେସନ୍‌। ଓଡ଼ିଶାରେ ମୋଟ୍‌ ୫୭ଟି ରେଳ ଷ୍ଟେସନ୍‌ର ଆଧୁନିକୀକରଣ କରାଯିବାକୁ ସ୍ଥିର ହୋଇଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ ୨୫ଟି ‌ଷ୍ଟେସନ୍‌କୁ ନିଆଯାଇଛି। ଓଡ଼ିଶାରେ ବିକଶିତ ହେବାକୁ ଥିବା ଷ୍ଟେସନ୍‌ଗୁଡ଼ିକ ହେଲା ସାକ୍ଷୀଗୋପାଳ, ମଞ୍ଚେଶ୍ବର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ମେରାମଣ୍ଡଳି, ବାଲୁଗାଁ, ଲିଙ୍ଗରାଜ ଷ୍ଟେସନ୍‌ ରୋଡ୍‌, ତାଳଚେର ରୋଡ୍‌, ଖୋର୍ଦ୍ଧା ରୋଡ୍‌, କଣ୍ଟାବାଞ୍ଜି, ବରଗଡ଼ ରୋଡ୍‌, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗୀର, ହରିଶଙ୍କର ରୋଡ୍‌, ଭବାନୀପାଟଣା, ଖରିଆର ରୋଡ୍‌, ଦାମନଯୋଡ଼ି, ବଡ଼ବିଲ୍‌, ରାଜଗାଙ୍ଗପୁର, ବାରିପଦା ଓ ଜଳେଶ୍ବର।ଏଥି ପାଇଁ ମୋଟ୍‌ ୫୩୧.୮ କୋଟି ଟଙ୍କା ଖର୍ଚ୍ଚ ହେବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଷ୍ଟେସନ୍‌ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିସି ଜରିଆରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଖୋର୍ଦ୍ଧାରୋଡ୍‌ ଷ୍ଟେସନ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟ ସ୍ଥାନଗୁଡ଼ିକରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।