ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

କଶ୍ମୀର: ଜମ୍ମୁ ଓ କଶ୍ମୀରର ବାରାମୂଲା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଜମ୍ମୁ ଓ କଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଏନକାଉଣ୍ଟର। ସେମାନଙ୍କଠାରୁ ଗୋଟିଏ ଏକ-୪୭ ଓ ଗୋଟିଏ ପିସ୍ତଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରଳ ଗୁଳି ଓ କିଛି ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ପୁଲିସର ସୂଚନା ଅନୁଯାୟୀ, ମୃତ ଦୁଇ ଆତଙ୍କବାଦୀ ହେଉଛନ୍ତି ରାଜ୍ୟର ଶୋପିଆନ ଜିଲ୍ଲାର ଶକୀର ମଜିଦ ନଜର ଓ ହନାନ ଅହମଦ ସେହ। ସେମାନେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା ପାଇଁ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ମାସରେ ସେମାନେ ଲଶ୍କର-ଏ-ତୋଏବାରେ ସାମିଲ ହୋଇଥିଲେ। ଉତ୍ତର କଶ୍ମୀରର ବାରାମୂଲା ଜିଲ୍ଲାର ୱାନିଗମ ପୟୀନ କ୍ରୀରିରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ପୁଲିସ୍ ପାଖରେ ନିର୍ଦ୍ଦିଷ୍ଟ ସୂଚନା ପହଞ୍ଚିଥିଲା।