ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, ୧୮ ମୃତ
କୋଲକାତା : ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୁର୍ଶିଦାବାଦ, କୁଚବିହାର, ମାଲଦା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଜପୁର ଏବଂ ନଦିଆରେ ବ୍ୟାପକ ହିଂସା ହୋଇଛି। ହିଂସା ଯୋଗୁଁ ମୁର୍ଶିଦାବାଦ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଉକ୍ତ ଜିଲ୍ଲାଗୁଡ଼ିକରେ ବୁଥ୍ ଜବରଦଖଲ ସହ ବାଲଟ୍ ବକ୍ସ ଜାଳି ଦିଆଯାଇଛି। କେତେକ ସ୍ଥାନରେ ବାଲଟ୍ ବକ୍ସ ଉଠାଇ ନେଇ ପାଣିରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିସହ ନିର୍ବାଚନ ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି।
ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମ୍ସି କର୍ମୀ, ୩ ଜଣ ସିପିଆଇ(ଏମ୍) କର୍ମୀ, ବିଜେପିର ୩ ଓ କଂଗ୍ରେସର ଜଣେ କର୍ମୀ ଅଛନ୍ତି। ଅନ୍ୟ ଜଣେ ମୃତକଙ୍କ ବିଷୟରେ କିଛି ଜଣାପଡ଼ିନି। ୩ ଟିଏମ୍ସି ସଦସ୍ୟ ଏବଂ ଜଣେ କଂଗ୍ରେସ କର୍ମୀଙ୍କୁ ମୁର୍ଶିଦାବାଦ ଜିଲ୍ଲାରେ ହତ୍ୟା କରାଯାଇଥିବା ବେଳେ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ କର୍ମୀଙ୍କୁ କୁଚ ବିହାରରେ ହତ୍ୟା କରାଯାଇଛି। କୁଚ ବିହାରରେ ମଧ୍ୟ ଜଣେ ଟିଏମ୍ସି ବୁଥ୍ କମିଟି ସଭାପତିଙ୍କୁ ଗତରାତିରେ ଛୁରି ଭୁସି ହତ୍ୟା କରାଯାଇଛି। ୨ ସିପିଆଇ(ଏମ୍) କର୍ମୀ ଏବଂ ଜଣେ ଟିଏମ୍ସି କର୍ମୀଙ୍କୁ ପୂର୍ବ ବର୍ଦ୍ଧମାନରେ ହତ୍ୟା କରାଯାଇଛି। ମାଲଦାରେ ଜଣେ ଟିଏମ୍ସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଦକ୍ଷିଣ ୨୪ ପ୍ରଗଣାରେ ଅନ୍ୟ ଜଣେ ଟିଏମ୍ସି କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେହିପରି ମାଲଦାରେ ଜଣେ ଟିଏମ୍ସି ନେତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ବିଜେପି ନେତା ଅଜୟ ରାୟ କହିଛନ୍ତି, କୁଚ ବିହାରରେ ଟିଏମ୍ସି କର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି।