ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାସ୍ଥିତ ଚିନ୍ନାଟେକୁର ନିକଟରେ ଶୁକ୍ରବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଘରୋଇ ଟ୍ରାଭେଲ୍ସ ବସ୍ ଭୋର ପ୍ରାୟ ୩:୩୦ ସମୟରେ ଏକ ଦୁଇଚକିଆ ଯାନକୁ ଧକ୍କା ଦେବା ପରେ ଏଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଧକ୍କା ପରେ ତୁରନ୍ତ ନିଆଁ ବସର ଆଗ ପଟୁ ବ୍ୟାପିଯାଇ ସମ୍ପୂର୍ଣ୍ଣ ଗାଡ଼ିକୁ କବଳିତ କରିଥିଲା।
ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଭାଙ୍ଗି ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ। ସାମାନ୍ୟ ଆହତ ହୋଇଥିବା ଏହି ୧୨ ଜଣଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ସମୟରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା, ଯାହା ଦୁର୍ଘଟଣାର କାରଣ ହୋଇପାରେ।