ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ

ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ । ପ୍ରାଣପ୍ରତିଷ୍ଠା ପାଇଁ କେବଳ ଉତରପ୍ରଦେଶର ଅଯୋଧ୍ୟା ସହର ଉତ୍ସବ ମୁଖର ହୋଇ ଉଠିନି ବଂର ପୂରା ଦେଶରେ ଦେଖିବାକୁ ମିଳିଛି ସେହି ସମାନ ଉତ୍ସାହ ଓ ଖୁସି ।ରାମଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ରାମଭକ୍ତ । ବିଭିନ୍ନ ସହରରେ ଥିବା ରାମ ଓ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ କରାଯିବା ସହ ବେଶ ଆକର୍ଷଣୀୟ ସାଜସଜା କରାଯାଇଛି । ଘର, ମନ୍ଦିର, ମଠରେ ରାମଭକ୍ତ ଲଗାଇଛନ୍ତି ଶ୍ରୀରାମଙ୍କ ପତାକା । ସ୍ଥାନେ ସ୍ଥାନେ ରାଲି କରାଯାଇଛି । ଦୀପ ଓ ଆଲୋକମାଳାରେ ଝଲସି ଉଠିଛି ଘରଦ୍ୱାର, ମନ୍ଦିର ପରିସର ।ଅଯୋଧ୍ୟାରେ ନବନର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସାରା ଦେଶରେ ଉତ୍ସାହ ଜାରି ରହିଛି । ଏହି ସମାରୋହର ସମସ୍ତ ରୀତିନୀତି ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା କୁବେର ଟିଲାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ଥିବା ଶିବ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଜଟାୟୁଙ୍କ ମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କୁ ଫୁଲ ବର୍ଷା କରିଥିଲେ। ଅଯୋଧ୍ୟାରେ ରାମଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ଭବ୍ୟ ରାମ ମନ୍ଦିରକୁ ଏକ ଚମତ୍କାର ଲେଜର ଏବଂ ଲାଇଟ୍ ସୋ’ରେ ସଜ୍ଜିତ କରାଯାଇ ଭଗବାନ ରାମଙ୍କ ଏକ ଆକର୍ଷଣୀୟ ଚିତ୍ର ପ୍ରସ୍ତୁତ କରାଯାଇଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ମନ୍ଦିରର ସୁନ୍ଦର ଦୃଶ୍ୟ କଏଦ ହୋଇଛି, ଯେଉଁଥିରେ ଏହି ଐତିହାସିକ ମୁହୂର୍ତ୍ତର ସୌନ୍ଦର୍ଯ୍ୟ ଏବଂ ଭବ୍ୟତାକୁ ଦର୍ଶାଯାଇଛି ।