ଚାଇନା ସୀମାରେ ଉତ୍ତେଜନା, ଭାରତର ଏୟାର ପ୍ୟାଟ୍ରୋଲିଂ
ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସେନା ଏବଂ ଭାରତୀୟ ସେନା ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନୁପ୍ରବେଶ ଉଦ୍ୟମ ପରେ ଦୁଇ ଦେଶ ସେନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଚାଇନା ଆକାଶ ପଥରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତି ସହ ଏୟାର ପାଟ୍ରୋଲିଂ ଆରମ୍ଭ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଭାରତୀୟ ସୀମା ଭିତରକୁ ଚାଇନା ସେନା ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ସେମାନଙ୍କୁ ଅଟକାଇବାରୁ ଏହି ସଂଘର୍ଷ ହୋଇଥିଲା ଭାରତୀୟ ସେନା ଯୁଦ୍ଧ ବିମାନ ଦ୍ୱାରା ପ୍ୟାଟ୍ରୋଲିଂ କରିଛି। ଚାଇନିଜ୍ ଡ୍ରୋନ୍ ବାୟୁ ସୀମା ଉଲ୍ଲଙ୍ଘନ କରିବାର ଆଶଙ୍କା ଥିବାରୁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ସେପଟେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ବାଙ୍ଗ୍ ଓ୍ବେନବିନ କହିଛନ୍ତି ଯେ ଚୀନ-ଭାରତର ସୀମା ସ୍ଥିତି ମୁଖ୍ୟତଃ ସ୍ଥିର ରହିଛି । ସୀମା ସମସ୍ୟା ସଂପର୍କରେ ଉଭୟ ପକ୍ଷ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି ।