ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଉଥିବା ସୂଚନା ରୁ ଜଣାପଡିଛି। ଉତ୍ତରପ୍ରଦେଶରୁ ଟ୍ରେନ୍ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।୨ଟି ଟ୍ରେନ୍ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଲୱେ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ପାତ୍ର କହିଛନ୍ତି। ପୂର୍ବରୁ ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢ଼ୁଥିଲା। କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା ଟପିଥିବା ବେଳେ କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନଥିବା ରୁ ଲୋକେ ନିରଶ ହେଉଥିଲେ। ବାହାର ରାଜ୍ୟ ରୁ ଆଳୁ ଆମଦାନୀ ହେଉପାରୁ ନଥିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ଦେଖାଦେଇଛି।
ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେବାରୁ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି । ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଥିଲା। ପଶ୍ଚିମବଙ୍ଗରୁ ଆଳୁ ନପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି।