ବିଶ୍ବ ଜଳ ଦିବସ, ଆଗାମୀ ଦିନରେ ଭୟଙ୍କର ଜଳସଙ୍କଟ ଦେଖାଦେବା ନେଇ ମତବ୍ୟକ୍ତ କରିଛନ୍ତି ପରିବେଶବିତ୍
ଉତ୍ତର ବାଲେଶ୍ୱରରେ କିଛିବର୍ଷ ହେଲା କ୍ରମାଗତ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଜଳ ସଂରକ୍ଷଣ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଏନେଇ ସରକାରୀ ସ୍ତରରେ ଯୋଜନାବଦ୍ଧ ଉଦ୍ୟମ ହେଉନି। ଫଳରେ, ଆଗାମୀ ଦିନରେ ଏହି ଅଞ୍ଚଳରେ ଭୟଙ୍କର ସମସ୍ୟା ଉପୁଜିବ ବୋଲି କୁହାଯାଇଛି। ଗତ ଦୁଇଦଶନ୍ଧି ହେଲା ଗ୍ରୀଷ୍ମଦିନେ ଏହି ଅଞ୍ଚଳରେ ଭୟଙ୍କର ଜଳସଙ୍କଟ ଦେଖାଦେବା ଏହାର ପ୍ରାରମ୍ଭିକ ଲକ୍ଷଣ ବୋଲି ପରିବେଶବିତ୍ମାନେ କହୁଛନ୍ତି। ତଥ୍ୟ ଅନୁଯାୟୀ, ଉତ୍ତର ବାଲେଶ୍ୱର ଅଞ୍ଚଳରେ ଶେଷଥର ପାଇଁ ୨୦୨୫ ଅକ୍ଟୋବର ୩୦ରେ ୧୩ ମିଲିମିଟର ବର୍ଷା ହୋଇଥିଲା। ଅକ୍ଟୋବରରେ ସାଧାରଣତଃ ୧୭୭ ମିମି ସ୍ବାଭାବିକ ବର୍ଷା ହେବାକଥା। ମାତ୍ର, ୨୦୨୫ ଅକ୍ଟୋବର ମାସରେ ୫ମିମି କମ୍ ବର୍ଷା ଅର୍ଥାତ୍ ମୋଟ ୧୭୨ମିମି ବର୍ଷା ହୋଇଥିଲା।
ସେହିପରି, ନଭେମ୍ବରରେ ୩୦ମିମି, ଡିସେମ୍ବରରେ ୧ମିମି, ଜାନୁଆରିରେ ୧୩ମିମି, ଫେବ୍ରୁଆରିରେ ୨୫ ମିମି ଓ ମାର୍ଚ୍ଚରେ ୩୭ ମିମି ସ୍ବାଭାବିକ ବର୍ଷା ହେବାକଥା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ୨୦୨୫ ଅକ୍ଟୋବର ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ତାରିଖ ଅର୍ଥାତ୍ ସାଢ଼େ ୪ ମାସ ଧରି ଆଉ ବର୍ଷା ହୋଇ ନଥିଲା। ସାଢ଼େ ୪ ମାସ ପରେ ୨୦୨୬ ମାର୍ଚ୍ଚ ୧୬ରେ ୩ ମିମି, ୧୭ ତାରିଖରେ ୬ ମିମି ବର୍ଷା ହୋଇଛି। ବହୁମାସ ଧରି ବର୍ଷା ନ ହେବାରୁ କେଉଁଠି ୧୦୦ ଫୁଟ ତ ଆଉ କେଉଁଠି ୧୫୦ ଫୁଟ ତଳକୁ ଭୂତଳ ଜଳସ୍ତର ଖସି ଯାଇଥିବା କୁହାଯାଉଛି। ଯେଉଁଥିପାଇଁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପରିବେଶବିତ୍ଙ୍କ ମତରେ, ଭୂତଳ ଜଳ ସଂରକ୍ଷଣ ହୋଇପାରୁ ନ ଥିବାରୁ ଭୋଗରାଇ ଓ ବାଲିଆପାଳର ସମୁଦ୍ରକୂଳିଆ ଅଞ୍ଚଳରେ ମଧୁର ଜଳ ବଦଳରେ ଲୁଣି ପାଣି ମାଡ଼ି ଆସିଲାଣି। ଚିରସ୍ରୋତା ସୁବର୍ଣ୍ଣରେଖା ନଦୀ ପାଇଁ ଏକଦା ଏ ଅଞ୍ଚଳର ଭୂତଳ ଜଳ ପରିପୁଷ୍ଟ ହେଉଥିଲା। ମାତ୍ର, ବେଆଇନ ବାଲି ଉତ୍ତୋଳନ, ବାଲି ପରିବହନ ପାଇଁ ନଦୀଶର୍ଯ୍ୟାରେ ବନ୍ଧ ପକାଇ ରାସ୍ତା ନିର୍ମାଣ ଯୋଗୁ ନଦୀର ପ୍ରବାହ ବନ୍ଦ ହୋଇଯାଉଛି। ଫଳରେ ବର୍ଷର ୬ ମାସ ନଦୀ ଶୁଖିଯାଉଛି। କୁହାଯାଉଛି ଯେ ଏକଦା ଦେଶର ମୋଟ ଜଳସମ୍ପଦର ୧୧ ପ୍ରତିଶତ କେବଳ ଓଡ଼ିଶାରେ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଓଡ଼ିଶାର ୧୪ ପ୍ରତିଶତ ଜଳ ସମ୍ପଦ ରହିଥିଲା। ଗତ କିଛିବର୍ଷ ଧରି ଏହା କ୍ରମାଗତ ଭାବେ ଖସିବାରେ ଲାଗିଛି।