ସର୍ବସ୍ଵ ହରାଇଲେ , ଶେଷରେ ପୁଅର ମୃତ୍ୟୁ ମାଗିଲେ। ୧୩ ବର୍ଷ ହେବ କୋମା ଅବସ୍ଥାରେ ରହିବା ପରେ ବିକ୍ରି ହୋଇଗଲା ପୈତୃକ ସମ୍ପତ୍ତି ଓ ଘର। ହରିଶ ରାଣାଙ୍କ ପରିବାରର ଏହି ସଂଘର୍ଷ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଜୀବନ ଯେ କେତେବେଳେ କେଉଁ ମୋଡରେ ଆଣି ଛିଡା କରିଦେବ, ତାହା କେହି କହିପାରିବେ ନାହିଁ। ଦୀର୍ଘ ୧୩ ବର୍ଷ ହରିଶଙ୍କ ପରିବାର ପାଇଁ କାଳରାତ୍ରି ସଦୃଶ ଥିଲା। ଯେଉଁ ପୁଅ ବାପା ମାଆଙ୍କ ବୃଦ୍ଧାବସ୍ଥାର ସାହାରା ହୋଇଥାନ୍ତା , ସେହି ପୁଅର ଜୀବନ ବଞ୍ଚାଇବା ପାଇଁ ପରିବାର ନିଜର ସବୁ କିଛି ବାଜିରେ ଲଗାଇ ଦେଇଥିଲେ। ପୁଅର ଚିକିତ୍ସାରେ ସବୁ ପଇସା ସରିଗଲା। କିନ୍ତୁ ପୁଅରେ ଅବସ୍ଥାରେ ସେଭଳି କିଛି ସୁଧାର ଆସିଲାନାହିଁ। ପୁଅର ଅସହ୍ୟ ଶାରୀରିକ କଷ୍ଟକୁ ଦେଖିନପାରି ଶେଷରେ ସେମାନେ ଇଚ୍ଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଶେଷରେ ସୁପ୍ରିମକୋର୍ଟ ମଧ୍ୟ ଇଚ୍ଛା ମୃତ୍ୟୁ ଲାଗି ଅନୁମତି ଦେଇଥିଲେ। ଉତ୍ତର ପ୍ରଦେଶର ଗାଜିଆବାଦର ରାଜନଗରସ୍ଥିତ ତାଙ୍କ ଘରେ ୧୩ ବର୍ଷ ଧରି ମୃତ୍ୟୁମୁଖରେ ପଡ଼ିଥିବା ହରିଶ ରାଣାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୀବନ ସହାୟକ ପ୍ରଣାଳୀକୁ ଧୀରେ ଧୀରେ ଅପସାରଣ କରାଯାଉଛି। ଏହି ସମୟରେ, ଗାଜିଆବାଦ ଘରୁ ହରିଶ ରାଣାଙ୍କ ଶେଷ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ମହିଳା ହରିଶ ରାଣାଙ୍କୁ ଶେଷ ବିଦାୟ ଦେଉଥିବାର ଦେଖାଯାଉଛି। ଏହି ମହିଳାମାନେ ବ୍ରହ୍ମ କୁମାରୀ ଭଉଣୀ ଥିଲେ। ହରିଶଙ୍କୁ ଏମ୍ସ ନିଆଯିବା ପୂର୍ବରୁ, ବ୍ରହ୍ମ କୁମାରୀ ଭଉଣୀମାନେ ଅଶୋକ ରାଣାଙ୍କ ଘରକୁ ଯାଇଥିଲେ। ଏବଂ ତା’ପରେ ହରିଶଙ୍କ ଘରେ ରାଜଯୋଗ କରିଥିଲେ। ଏହାପରେ ତାଙ୍କୁ ଶେଷ ବିଦାୟ ଦିଆଯାଇଥିଲା। ଏହି ଭିଡିଓଟି ଗଭୀର ଭାବପ୍ରବଣ। ଜଣେ ବ୍ରହ୍ମ କୁମାରୀ ତାଙ୍କ ମୁଣ୍ଡରେ ଚନ୍ଦନ ତିଳକ ଲଗାଇ କହିଥିଲେ ସମସ୍ତଙ୍କୁ କ୍ଷମା କର, ସମସ୍ତଙ୍କୁ କ୍ଷମା ମାଗ ଏବଂ ଯାଅ। ହରିଶଙ୍କ କାହାଣୀ ଗୋଟିଏ ପରିବାର କୁ ନିଜ ପୁଅକୁ ବିଦାୟ ଦେବା ପାଇଁ ନେବାକୁ ପଡିଥିବା ଯନ୍ତ୍ରଣା , ସଂଘର୍ଷ ଏବଂ କଷ୍ଟକର ନିଷ୍ପତ୍ତିର ଏକ ଭାବବିହ୍ବଳ କାହାଣୀ।