ଅନ୍ତର୍ଜାତୀୟ ଯୋଗ ଦିବସ – ଚଳିତ ବର୍ଷର ଥିମ୍, ଯୋଗ ଫର ସେଲ୍ଫ୍ ଆଣ୍ଡ ସୋସାଇଟି
ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ । ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ । ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି ।ଚଳିତ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜର ଓ ସମାଜ ପାଇଁ ଯୋଗ(ଯୋଗ ଫର ସେଲ୍ଫ୍ ଆଣ୍ଡ ସୋସାଇଟି) । ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି ।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଯୋଗଦେଇଛନ୍ତି।