ଡିପଥେରିଆ ସଂକ୍ରମଣ ବଢ଼ିବା ପରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ

ଡିପଥେରିଆ ସଂକ୍ରମଣ ବଢ଼ିବା ପରେ ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ । ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ । ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିଡି ଡୋଜ୍ । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି ।
ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ । ରାଜ୍ୟରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ବର୍ତମାନ ୩ ଜିଲ୍ଲାରେ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । କୋରାପୁଟ ବନ୍ଧୁଗାଁର ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛିି ।କଳାହାଣ୍ଡିରୁ ୪ରୁ ୫ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଆରଏମଆରସିକୁ ପଠାଯାଇଛି । ବାୟୁ ଦ୍ୱାରା ଏହି ସଂକ୍ରମଣ ବ୍ୟାପୁଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଣ୍ଟିବାୟୋଟିକ ଦ୍ୱାରା ଏହି ସଂକ୍ରମଣର ମୂଳପୋଛ କରାଯାଇ ପାରିବ ବୋଲି ସେ କହିଛନ୍ତି । ସେପଟେ ସଂକ୍ରମଣ ମୁକାବିଲା ପାଇଁ ୩ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଡବ୍ଲୁଏଚଓ ଟିମ୍ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।