ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁବିଧାଜନକ କରିବା ଆମ ସରକାରର ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଡ଼ିଆବାହାଲ ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବଡ ଦାୟିତ୍ୱ ଅଛି । ସ୍ଥାନୀୟ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଲୋକାର୍ପିତ ହୋଇଥିବା ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଅନେକ ଲୋକମାନେ ଉପକୃତ ହୋଇପାରିବେ । ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍ – ସବକା ବିକାଶ’କୁ ପ୍ରାଥମିକତାରେ ରଖି ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।