ସ୍ୱର ସାମ୍ରାଜ୍ଞୀ ଲତାଙ୍କ ଜୀବନୀ
ମେଟ୍ରୋ ଟିଭି ଓଡିଶା,୬/୨ : ଆଉ ନାହାନ୍ତି ହିନ୍ଦୀ ସିନେମା ଜଗତର ଲତା ଦିଦି । ୯୨ ବର୍ଷ ବୟସରଙ୍କ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡିଛି ।
ଲତା ମଙ୍ଗେସକରଙ୍କ ଜନ୍ମ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ ପ୍ରଦେଶର ଇନ୍ଦୋରରେ ହୋଇଥିଲା । ଲତାଜୀ ପଣ୍ଡିତ ଦୀନାନାଥ ମଙ୍ଗେସକର ଓ ଶେବନ୍ତୀଙ୍କ ବଡ଼ ଝିଅ । ଲତାଙ୍କ ପିତା ଦୀନାନାଥ ମଙ୍ଗେସକର ଜଣେ ମରାଠି ସଂଗୀତକାର, ଶାସ୍ତ୍ରୀୟ ଗାୟକ ଓ ଥିଏଟର ଅଭିନେତା ଓ ମା’ ଥିଲେ ଗୁଜୁରାଟି । ଶେବନ୍ତୀ ହେଉଛନ୍ତି ଦୀନାନାଥଙ୍କ ଦ୍ୱିତୀୟ ପତ୍ନୀ । ପ୍ରଥମ ପତ୍ନୀ ନର୍ମଦାଙ୍କ ମୃତ୍ୟୁ ପରେ ଦୀନାନାଥ ନର୍ମଦାଙ୍କ ସାନ ଭଉଣୀ ଶେବନ୍ତୀଙ୍କୁ ନିଜର ଜୀବନ ସଂଗୀନି ଭାବେ ଗ୍ରହଣ କରିଥିଲେ । ଲତାଙ୍କ ଜନ୍ମ ବେଳେ ତାଙ୍କ ନାମ ହେମା ରଖାଯାଇଥିଲା । ପରେ ଏହାକୁ ପରିବର୍ତ୍ତନ କରି ଲତା ରଖାଗଲା । ଲତାଙ୍କ ପରେ ମୀନା ,ଆଶା ,ଉଷା ଓ ହୃଦୟନାଥଙ୍କ ଜନ୍ମ ହୋଇଥିଲା ।
ଦୀର୍ଘ ୭ ଦଶନ୍ଧି ଧରି ଭାରତୀୟ ସିନେମା ଓ ସଂଗୀତ ଦୁନିଆ ସହ ନିଜକୁ ଜଡିତ ରଖିଥିଲେ । ଅଭିନେତ୍ରୀ ମଧୁବାଲାଙ୍କ ଠାରୁ ମାଧୁରୀ ଦୀକ୍ଷିତ ଯାଏ ସେ ସବୁ କଳାକାରଙ୍କ ପାଇଁ ଗୀତ ଗାଇଛନ୍ତି । ତାଙ୍କର ଭିନ୍ନ ସ୍ୱର ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହୁଥିଲେ । ଲତାଙ୍କ ସ୍ୱର ସବୁ ଅଭିନେତ୍ରୀଙ୍କ ସହ ଫିଟ ହୋଇଯାଏ । ଫିଲ୍ମ ମୁଗଲ-ଏ –ଆଜମ’ ର ‘ପ୍ୟାର କିୟା ତୋ ଡରନା କ୍ୟା’ ହେଉ ବା ପରିଣତ ବୟସରେ ମଧ୍ୟ ସେ ସାନ ଝିଅଟି ସ୍ୱର ପରି ତେରେ ବିନା ଜିୟା ଜାଏନା ଓ ‘୧୯୪୨ ଏ ଲଭ ଷ୍ଟୋରୀ’ ରେ ‘କୁଛ ନା କହୋଟ୍ଟ’ ଗୀତ ସମସ୍ତଙ୍କୁ ଅଭିଭୂତ କରେ । ଲତାଜୀ ୨ ହଜାରରୁ ଉର୍ଦ୍ଧ୍ୱ ଫିଲ୍ମରେ ଗୀତ ଗାଇଛନ୍ତି । ସେ ୩୬ ରୁ ଉର୍ଦ୍ଧ୍ୱ ଭାଷାରେ ଗୀତ ଗାଇଥିଲେ ମଧ୍ୟ ମୁଖ୍ୟତଃ ହିନ୍ଦୀ, ମରାଠି ଓ ବଙ୍ଗାଳି ଭାଷାରେ ଅଧିକାଂଶ ଗୀତ ଗାଇଛନ୍ତି ।
ଲତାଙ୍କ ଜୀବନୀ- ୧୯୪୨ ରେ ପିତାଙ୍କ ହୃଦଘାତରେ ମୃତ୍ୟୁ ପରେ ଲତା ମଙ୍ଗେଶକରଙ୍କ ଉପରେ ପରିବାର ବୋଝ ପଡ଼ିଲ । ଲତାଙ୍କ ବୟସ ସେତେବେଳେ ମାତ୍ର ୧୩ ବର୍ଷ ଥିଲା । ନବଯୁଗ ଚିତ୍ରପଟ ମୁଭି ଲତାଙ୍କ ପରିବାରର ନିକଟତର ଲୋକ ହୋଇଥିବାରୁ ସେ ଲତାଙ୍କୁ ଗିତ ଗାଇବା ଓ ଅଭିନୟ କରିବା ପାଇଁ ସୁଯୋଗ ଦେଲେ ।

ଲତାଙ୍କୁ ଅଭିନୟ କରବା ପସନ୍ଦ ନଥିଲା । ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ କିଛି ମରାଠି ଫିଲ୍ମରେ ଅଭିନୟ କଲେ । ମଙ୍ଗଲା ଗୌର(୧୯୪୨), ମାଝୋ ବାଲ୍(୧୯୪୩),ଗଜଭାଉ(୧୯୪୪), ବଡ଼ି ମାଁ(୧୯୪୫) ଓ ଜୀବନ ଯାତ୍ରା(୧୯୪୬) ଭଳି ଫିଲ୍ମରେ ଲତା ଛୋଟ ମୋଟ ରୋଲରେ ଅଭିନୟ କଲେ ।
୧୯୪୨ରେ ଲତାଙ୍କୁ ସଦାଶିବ ରାଓ ନେବେରକର ଏକ ମରାଠି ଫିଲ୍ମରେ ଗାଇବାର ସୁଯୋଗ ଦେଲେ । ଲତା ଗୀତ ରେକର୍ଡ ମଧ୍ୟ କଲେ, ହେଲେ ଫିଲ୍ମର ଫାଇନାଲ କଟରେ ସେ ଗୀତକୁ କାଟି ଦିଆଗଲା । ୧୯୪୨ ରେ ରିଲିଜ ହୋଇଥିବା ମଙ୍ଗଳା ଗୌର ଫିଲ୍ମରେ ଲତାଙ୍କ ସ୍ୱର ଶୁଣିବାକୁ ମିଳିଲା । ସେହିପରି ୧୯୪୩ ରେ ମରାଠି ଫିଲ୍ମ ‘ଗଜାଭାଉ’ ରେ ଲତା ହିନ୍ଦୀ ଗୀତ ‘ମାତା ଏକ ସପୁତ କି ଦୁନିଆ ବଦଳ ଦେ ତୁ’ ଗାଇଥିଲେ ।
୧୯୪୫ ରେ ଲତା ମୁମ୍ବାଇ ଚାଲିଆସିଲେ । ଏହାପରେ ତାଙ୍କର କ୍ୟାରିଅର ବଢ଼ିବାକୁ ଲାଗିଲା । ସେଠାରେ ଲତାଜୀ ଭିଣ୍ଡିବଜାର ଘରାନାର ଉସ୍ତାଦ ଅମନ ଅଲି ଖାନଙ୍କ ଠାରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଶିଖିବାକୁ ଆରମ୍ଭ କଲେ । ୧୯୪୫ ରେ ଫିଲ୍ମ ‘ବଡ଼ି ମା’ ରେ ଗାଇଥିବା ଭଜନ ‘ମାତା ତେରେ ଚରଣ ମେ’ ଓ ୧୯୪୬ ରେ ରିଲିଜ ହୋଇଥିବା ‘ଆପକି ସେବା ମେ’ ରେ ଲତା ଗାଇଥିବା ‘ପା ଲାଙ୍ଗୁ କର ଜୋରୀ’ ସଂଗୀତ ଲୋକଙ୍କ ଧ୍ୟାନ ଆକର୍ଷଣ କଲା ।
୧୯୪୯ ରେ ‘ମହଲ’ନାମକ ଏକ ଫିଲ୍ମ ରିଲିଜ ହେଲା ।
ଯେଉଁଥିରେ ଖେମଚନ୍ଦ ପ୍ରକାଶ ଲତାଙ୍କୁ ‘ଆଏଗା ଆନେ ବାଲା’ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଗୀତଟି ମଧୁବାଲାଙ୍କ ଉପରେ ଥିଲା । ଗୀତଟି ସୁପର ହିଟ ହେବା ପରେ ଲତାଙ୍କ ପାଇଁ ସବୁ ସୁଯୋଗ ଖୋଲି ଦେଇଥିଲା । ଏହି ଗୀତ ଲତାଙ୍କର ସୁପର ହିଟ ଗୀତ ମଧ୍ୟରୁ ଅନ୍ୟତମ, ଯାହା ଆଜି ବି ଦର୍ଶକଙ୍କ ମନକୁ ଛୁଏଁ । ଏହି ଗୀତର ସଫଳତା ପରେ ଲତା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।
ପୁରଷ୍କାର –
. ୧୯୬୯ରେ ପଦ୍ମ ଭୂଷଣ
. ୧୯୮୯ରେ ଦାଦା ସାହେବ ଫାଲକେ
. ୧୯୯୯ରେ ପଦ୍ମ ବିଭୂଷଣ
. ୨୦୦୧ରେ ଭାରତ ରତ୍ନ । ଏହାଛଡା ଲତାଙ୍କୁ ଆହୁରି ୩୦ ରୁ ଅଧିକ ବିଭିନ୍ନ ପୁରସ୍କାର ମଧ୍ୟ ମିଳିଛି । ବିବାହ ନ ହୋଇ ମଧ୍ୟ ନିଜ ସାରା ଜୀବନକୁ ସଙ୍ଗୀତକୁ ଉତ୍ସଗ କରିଦେଇଥିଲେ ଲତା ଦିଦି ।
pic credit-twitter,pm modi
ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମବେଦନା ଜଣାଇଛନ୍ତି ।