ହଠାତ୍ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା
କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍ ରାଇଟର ଶକିରା ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର ରାଜଧାନୀ ଲିମାରେ ହେବାକୁ ଥିବା ଶକିରାଙ୍କ ବହୁ ପ୍ରତୀକ୍ଷିତ ମ୍ୟୁଜିକ୍ କନ୍ସର୍ଟକୁ ବାତିଲ କରିବାକୁ ପଡ଼ିଛି। ଏନେଇ ଶକିରା ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଉକ୍ତ ପୋଷ୍ଟରେ ଲେଖିଛନ୍ତି, ରବିବାରଠାରୁ ତାଙ୍କ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ରହିଥିଲା। ସମସ୍ୟା ବଢ଼ିବାରୁ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଆଗାମୀ କିଛିଦିନ ପାଇଁ କୌଣସି ଷ୍ଟେଜ୍ ଶୋ’ ପର୍ଫମାନ୍ସ ନ ଦେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ତେଣୁ ଏବେ ସେ କୌଣସି ଷ୍ଟେଜ୍ ଶୋ’ କରିବା ସ୍ଥିତିରେ ନ ଥିବା ଶକିରା ଦୁଃଖର ସହ କହିଛନ୍ତି। ଏହାସହ ପେରୁରେ ହେବାକୁ ଥିବା ମ୍ୟୁଜିକ୍ କନ୍ସର୍ଟକୁ ବାତିଲ ହେବାକୁ ନେଇ ସେ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ଏହା ତାଙ୍କୁ ନିରାଶ କରିଛି ବୋଲି କହିଛନ୍ତି। ପେରୁରେ ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବା ପାଇଁ ଖୁବ୍ ଭାବ ପ୍ରବଣ ଓ ଉତ୍ସାହିତ ଥିଲେ। କିନ୍ତୁ ଏବେ ସେ ନିରାଶ ହୋଇଥିବା ଶକିରା କହିଛନ୍ତି। ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସତ୍ତ୍ବେ ମଧ୍ୟ ଖୁବ୍ଶୀଘ୍ର ସୁସ୍ଥ ହୋଇ ପୁଣି ଷ୍ଟେଜ୍ ଶୋ’କୁ ଫେରିବେ ବୋଲି ଶକିରା ଆତ୍ମବିଶ୍ବାସର ସହ କହିଛନ୍ତି।