ହାସ୍ୟ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କୁ ଅସଦାଚରଣ
ହାସ୍ୟ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କ କାର୍କୁ ମୁମ୍ବାଇରେ ଆକ୍ରମଣ ହୋଇଛି। ଏନେଇ ସେ ରବିବାର ରାତିରେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା କେତେଜଣ ଲୋକଙ୍କ ଭିଡ଼ ତାଙ୍କ କାର୍କୁ ଘେରିଯାଇ କାର୍ ମଧ୍ୟରେ ଥିବା ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ଅସଦାଚରଣ କରିଥିଲେ ବୋଲି ସୁମୋନା ଏହି ପୋଷ୍ଟରେ କହିଛନ୍ତି।
ଅନୁଯାୟୀ, ମୁମ୍ବାଇରେ ମରାଠା ସଂରକ୍ଷଣ ପାଇଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବାବେଳେ ସୁମୋନା ରବିବାର ଦକ୍ଷିଣ ମୁମ୍ବାଇର କୋଲାବାରୁ ଫୋର୍ଟ ଆଡ଼କୁ ନିଜ କାର୍ରେ ଯାଉଥିଲେ। ଏହି ସମୟରେ ପ୍ରଦର୍ଶନକାରୀମାନେ ସୁମୋନାଙ୍କ କାର୍କୁ ଚାରିପାଖରୁ ଘେରି ଯାଇଥିଲେ। ସେମାନେ କାର୍ର ବୋନଟ୍କୁ ପିଟିବା ସହ ସୁମୋନା ଓ ତାଙ୍କ ବନ୍ଧୁଙ୍କୁ ଗାଳିଗୁଲଜ୍ କରିଥିଲେ। ୫ ମିନିଟ ପର୍ଯ୍ୟନ୍ତ ପ୍ରଦର୍ଶନକାରୀମାନେ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ଅସଦାଚରଣ କରି ଚାଲିଥିଲେ ଏବଂ ସେଠାରେ କୌଣସି ପୋଲିସ ଉପସ୍ଥିତ ନ ଥିଲେ ବୋଲି ସୁମୋନା କହିଛନ୍ତି। ସୁମୋନା ନିଜ ପୋଷ୍ଟରେ ଲେଖିଛନ୍ତି, ସେ ଦୀର୍ଘ ବର୍ଷ ଧରି ମୁମ୍ବାଇରେ ରହୁଥିଲେ ସୁଦ୍ଧା ଏହି ଘଟଣା ପରେ ସେ ପ୍ରଥମ ଥର ପାଇଁ ସହରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଜଣେ ମହିଳା କରଦାତା ଏବଂ ସହରକୁ ଭଲ ପାଉଥିବା ବ୍ୟକ୍ତି ଭାବରେ ମୁମ୍ବାଇରେ ନିଜକୁ ସୁରକ୍ଷିତ ମନେ କରିବା ପାଇଁ ସେ ହକ୍ଦାର ବୋଲି ସୁମୋନା ଏହି ପୋଷ୍ଟରେ ଲେଖିଛନ୍ତି। ତେବେ ସୋମବାର ଉକ୍ତ ପୋଷ୍ଟକୁ ସେ ଡିଲିଟ୍ କରିଦେଇଛନ୍ତି।