ହ୍ୟାପି ବାର୍ଥ ଡ଼େ ରେହମାନ ଡକୈତଙ୍କ ତଥା ଅକ୍ଷୟ ଖାନ୍ନା
ବାପା ସୁପରଷ୍ଟାର ଥିଲେ, ସମସ୍ତେ ଭାବିଥିଲେ ପୁଅ ବି ସୁପରଷ୍ଟାର ହେବେ । ହେଲେ 90 ଦଶକରେ ତାଙ୍କ ଫିଲ୍ମ ସଫଳତା ଛୁଇଁ ପାରିନଥିଲା । ସଲମାନ, ଶାହାରୁଖ, ଅମିରଙ୍କ ଜାମାନାରେ ସେ ହଜି ଯାଇଥିଲେ । କିଛି ଫିଲ୍ମ ଆଖି ଦୃଶିଆ ହୋଇଥିଲେ ବି ତାଙ୍କୁ ସୁପରଷ୍ଟାରର ଆଖ୍ୟା ଦେଇପାରିନଥିଲା । ହେଲେ କ୍ୟାରିୟରର ଶେଷ ପର୍ଯ୍ୟାୟରେ ତାଙ୍କ ଭାଗ୍ୟ ଖୋଲିଦେଲା ଫିଲ୍ମ ଧୁରନ୍ଧର ଯାହା ଏବେ ବି ହଲରେ ଧମାଲ ମଚାଉଛି । ହଁ ଆଜ୍ଞା ଆମେ କହୁଛୁ ଧୁରନ୍ଧର ଫିଲ୍ମର ସେହି ଚର୍ଚ୍ଚିତା ଖଳନାୟକ ରେହମାନ ଡକୈତଙ୍କ ତଥା ଅକ୍ଷୟ ଖାନ୍ନାଙ୍କ କଥା । ଯିଏ ନିଜ ଦମଦାର ଡାଇଲଗ୍, ଆଉ ଆକ୍ସନରେ ଏବେ ଘରେ ଘରେ ଫେସମ୍ ହୋଇଯାଇଛନ୍ତି । ଆଜି ହେଉଛି ଅକ୍ଷୟ ଖାନ୍ନାଙ୍କ ଜନ୍ମ ଦିନ । ଆସନ୍ତୁ ଆଜିର ଦିନରେ ଜାଣିବା ତାଙ୍କର ସେହି ସଂଘର୍ଷରୁ ସଫଳତାର କାହାଣୀ ବିଷୟରେ ।
୧୯୯୭ ମସିହାରେ ‘ହିମାଳୟ ପୁତ୍ର’ ଚଳଚ୍ଚିତ୍ର ମାଧ୍ୟମରେ ଅକ୍ଷୟ ବଲିଉଡରେ ପାଦ ଥାପିଥିଲେ । ବାପା ବିନୋଦ ଖାନ୍ନାଙ୍କ ପରି ଜଣେ ଦିଗ୍ଗଜ ଅଭିନେତାଙ୍କ ପୁଅ ହୋଇଥିବାରୁ ଲୋକଙ୍କର ତାଙ୍କ ପ୍ରତି ବହୁତ ଆଶା ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ୯୦ ଦଶକରେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ‘ବର୍ଡର’ ଏବଂ ‘ତାଲ’ ଭଳି କିଛି ସଫଳ ଚଳଚ୍ଚିତ୍ରକୁ ଛାଡିଦେଲେ, ଅକ୍ଷୟଙ୍କ ଅଭିନୟର ଯାଦୁ ସେତେବେଳେ ଦର୍ଶକଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲା। ଅନେକ ଭାବୁଥିଲେ ଯେ ବିନୋଦ ଖାନ୍ନାଙ୍କ ପୁଅ ହୋଇ ମଧ୍ୟ ସେ ବୋଧହୁଏ ରେସ୍ରେ ପଛରେ ରହିଯିବେ।
ଅକ୍ଷୟ କେବେ ହାର ମାନିନଥିଲେ। ସେ ନାୟକ ଭାବରେ ନୁହେଁ, ବରଂ ଜଣେ କଳାକାର ଭାବରେ ନିଜକୁ ଗଢ଼ିବା ଆରମ୍ଭ କଲେ। ‘ଦିଲ୍ ଚାହତା ହୈ’ ଏବଂ ‘ହମରାଜ’ ଭଳି ଚଳଚ୍ଚିତ୍ରରେ ତାଙ୍କର ନକାରାତ୍ମକ ଓ ଗମ୍ଭୀର ଭୂମିକା ଲୋକଙ୍କୁ ଚକିତ କରିଦେଇଥିଲା। ସେ ପ୍ରମାଣ କରିଥିଲେ ଯେ ସେ କେବଳ ଚକଲେଟ୍ ହିରୋ ନୁହଁନ୍ତି, ବରଂ ଜଣେ ଗଭୀର ଅଭିନେତା।
ସାଧାରଣତଃ ଜଣେ ଅଭିନେତାଙ୍କ ବୟସ ବଢିଲେ ତାଙ୍କର ଚାହିଦା କମିଯାଏ, କିନ୍ତୁ ଅକ୍ଷୟଙ୍କ କ୍ଷେତ୍ରରେ ଓଲଟା ଘଟିଛି। ନିକଟରେ ସେ ନିଜର ‘ଧୁରନ୍ଧର’ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଚୁପ୍ କରିଦେଇଛନ୍ତି। ବିଶେଷ କରି ‘ରେହମାନ ଡକାୟତ’ ଭଳି ଏକ ଶକ୍ତିଶାଳୀ ଏବଂ ଜଟିଳ ଚରିତ୍ରକୁ ସେ ଯେଉଁଭଳି ଭାବେ ପରଦାରେ ଜୀବନ୍ତ କରିଛନ୍ତି, ତାହା ତାଙ୍କୁ ପୁଣିଥରେ ‘ସୁପରହିଟ୍’ ଶ୍ରେଣୀରେ ଛିଡା କରିଦେଇଛି। ତାଙ୍କର ଚାହାଣି, କଥା କହିବାର ଶୈଳୀ ଏବଂ ଶାନ୍ତ ସ୍ୱଭାବ ଭିତରେ ଲୁଚି ରହିଥିବା ସେହି ତୀବ୍ରତା ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି।
ଅକ୍ଷୟ ଖାନ୍ନା ଆଜିର ସମୟରେ ବିବାଦଠାରୁ ଦୂରରେ ରୁହନ୍ତି। ସେ ସୋସିଆଲ ମିଡିଆରେ ସକ୍ରିୟ ନୁହନ୍ତି କିମ୍ବା ପ୍ରଚାର ପସନ୍ଦ କରନ୍ତି ନାହିଁ। ତାଙ୍କ ପାଇଁ ତାଙ୍କ କାମ ହିଁ ସବୁକିଛି। ୯୦ ଦଶକର ସେହି ସଂଘର୍ଷଶୀଳ ଅକ୍ଷୟ ଆଜି ଜଣେ ପରିପକ୍ୱ ‘ମାଷ୍ଟର ଅଫ୍ ଆକ୍ଟିଙ୍ଗ’ରେ ପରିଣତ ହୋଇଛନ୍ତି।