ଚନ୍ଦ୍ରିକା ଟଣ୍ଡନ ଜିତିଲେ ଗ୍ରାମୀ ପୁରସ୍କାର

ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ଆଓ୍ବାଡର୍‌ସର ୬୭ତମ ସଂସ୍କରଣ ଆମେରିକାର ଲସ୍‌ଏଞ୍ଜେଲ୍ସସ୍ଥିତ କ୍ରିପ୍ଟୋ ଡଟ୍‌ କମ୍‌ ଏରିନାଠାରେ ରେକର୍ଡିଙ୍ଗ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀରେ ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍‌ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍‌ ଆଲବମ୍‌ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି। ସେ ତାଙ୍କର ସହକର୍ମୀ ଦକ୍ଷିଣ ଆଫ୍ରିକାର ବଂଶୀ ବାଦକ ଓ୍ବାଉଟର କେଲରମ୍ୟାନ ଓ ଜାପାନର ଭାଓଲିନ ବାଦକ ମାଟସୁମୋଟୋଙ୍କ ସହ ଗ୍ରାମୀ ପୁରସ୍କାର ଗ୍ରହଣ କରିଥିଲେ। ପେପ୍ସିକୋର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦ୍ରା ନୁୟୀଙ୍କର ବଡ଼ଭଉଣୀ ଚନ୍ଦ୍ରିକା ଜଣେ ବିଜନେସ୍‌ ଲିଡର ଭାବେ ମଧ୍ୟ ପରିଚିତ। ଚେନ୍ନାଇରେ ବଢ଼ିଥିବା ଚନ୍ଦ୍ରିକା ଗ୍ରାମୀ ପୁରସ୍କାର ଜିତି ଖୁସି ପ୍ରକାଶ କରିଛନ୍ତି।