ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବାକୁ ଆସିଲା ନିର୍ଦ୍ଦେଶ
୨୦୨୬ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ହାତରେ ଆଉ ଅଢ଼େଇ ମାସ ବାକି ରହିଛି । ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯେଉଁଠି ପରୀକ୍ଷାକେନ୍ଦ୍ର ହୋଇଥିଲା ସେଗୁଡ଼ିକରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ରିପୋର୍ଟ ନଭେମ୍ବର ୨୯ ସୁଦ୍ଧା ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି ।୨୦୨୬ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବୋରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି । ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ କରାଯିବାକୁ ଥିବାରୁ ନଭେମ୍ବର ୨୯ ସୁଦ୍ଧା ସିସିଟିଭି ଲଗାଇବେ । ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା, ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନୂଆ ପରୀକ୍ଷାକେନ୍ଦ୍ର କରିବାକୁ ଆବେଦନ କରିଛନ୍ତି ସେମାନେ ପରୀକ୍ଷା ହଲ୍ ଓ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ରୁମ୍ରେ ସିସିଟିଭି ଲଗାଇଥିବା ପରିଷଦକୁ ସୁନିଶ୍ଚିତ କରାଇବେ ।