ଜାତୀୟ ଶିକ୍ଷା ନୀତି ଅନୁସାରେ ହେବ ପାଠପଢ଼ା, ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୫୫ଟି ପାଠ୍ୟପୁସ୍ତକ ପରିବର୍ତ୍ତନ କରାଯିବ

ଜାତୀୟ ଶିକ୍ଷା ନୀତି ଅନୁସାରେ ହେବ ପାଠପଢ଼ା । ଏ ନେଇ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୫୫ଟି ପାଠ୍ୟପୁସ୍ତକ ପରିବର୍ତ୍ତନ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଘନ ଘନ ବୈଠକ । ନୂଆ ନୂଆ ପରିବର୍ତ୍ତନ । ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ନେଇ ଜୋରଦାର ପ୍ରୟାସ ଚଳାଇଛି ଗଣଶିକ୍ଷା ବିଭାଗ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୫୫ଟି ପାଠ୍ୟପୁସ୍ତକ ପରିବର୍ତ୍ତନ କରାଯିବ । ଏନସିଇଆରଟି ଢାଞ୍ଚାରେ ପ୍ରସ୍ତୁତ ହେବ ପାଠ୍ୟପୁସ୍ତକ । ବର୍ତ୍ତମାନ ସୁଦ୍ଧା ୨୪ଟି ପୁସ୍ତକ ପ୍ରସ୍ତୁତ ହୋଇସାରିଛି । ଅକ୍ଟୋବର ଶେଷ ସୁଦ୍ଧା ଆଉ ୧୭ଟି ବହି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଶିକ୍ଷାରେ ସଂସ୍କାର ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ପାଇଁ ଜୋର ଦେଇଛି ଗଣଶିକ୍ଷା ବିଭାଗ । ଭାରତୀୟ ସଂସ୍କୃତି ପରମ୍ପରା ତଥା ଗୌରବମୟ ଇତିହାସକୁ ଆଧାର କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି ।

ଏନସିଆରଟିର କିଛି ପାଠ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି । ଏଭଳି ସ୍ଥିତିରେ ସମାନ ଢାଞ୍ଚାରେ ଓଡ଼ିଶାରେ ପାଠ୍ୟପୁସ୍ତକ କିଭଳି ପ୍ରଚଳନ ହେବ ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷାବିତ । ତା’ଛଡା ପାଠ୍ୟପୁସ୍ତକରେ ବାରମ୍ବାର ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ଅଭିଭାବକ । ଏଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଏକ ମନିଟରିଂ କମିଟି କରିବା ଦରକାର । ନହେଲେ ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଆଗକୁ ବଢ଼ିପାରିବନି ବୋଲି କହିଛନ୍ତି ଅଭିଭାବକ ।

ନୂତନ ପାଠ୍ୟପୁସ୍ତକରେ ପୁସ୍ତକର ମୂଲ୍ୟବୋଧ ଶିକ୍ଷାକୁ ସାମିଲ କରାଯିବ । ତା’ଛଡ଼ା ନୂଆ ପାଠ୍ୟକ୍ରମ ନେଇ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ପ୍ରଶ୍ନ ଉଠୁଛି, ସ୍କୁଲରେ କେବେ ହେବ ଶିକ୍ଷକ ଅଭାବ ପୂରଣ ? ଶିଶୁବାଟିକାରେ ନାହାନ୍ତି ତାଲିମପ୍ରାପ୍ତ ଶିକ୍ଷକ, କିଭଳି କାର୍ଯ୍ୟକାରୀ ହେବ ଶିକ୍ଷାନୀତି ?

Leave a comment