ରାତି ପାହିଲେ ୭୯ତମ ସ୍ୱାଧୀନତା ଦିବସ, ପରେଡ୍ରେ ସାମିଲ ହେବେ ୪୮ଟି କଣ୍ଟିଜେଣ୍ଟ
ଶୁକ୍ରବାର ସାରା ଦେଶରେ ପାଳିତ ହେବ ୭୯ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ମହାସମାରୋହରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ଫୁଲ୍ ଡ୍ରେସ୍ ରିହର୍ସାଲ୍ କରାଯାଇଛି। ସେହିପରି ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ କରାଯିବାକୁ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଜି ପରେଡ୍ ରିହର୍ସାଲ୍ରେ ସାମିଲ ହୋଇ ପୁଲିସ ଡିଜି ୱାଇବି ଖୁରାନିଆ ସ୍ଥିତି ସମୀକ୍ଷା କରିଥିଲେ। ପ୍ରୋଟକଲ୍ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ସକାଳ ୮ଟା ୪୫ ମିନିଟ୍ରେ ଗାନ୍ଧୀମାର୍ଗରେ ପ୍ରବେଶ କରିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଓ ଏନ୍ସିସି ଡେପୁଟି ଡାଇରେକ୍ଟର୍ ଜେନେରାଲ୍ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ମୁଖ୍ୟମନ୍ତ୍ରୀ ପେଣ୍ଡାଲ୍ ଉପରକୁ ଯାଇ ୯ଟା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବେ। ପୁଲିସ୍ ବ୍ୟାଣ୍ଡ-୧ ଓ ୨ ଦ୍ବାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଆଇପିଏସ୍ ଅନନ୍ୟା ଅୱସ୍ତି ପରେଡ୍ର କମାଣ୍ଡର୍ ଦୟିତ୍ୱ ତୁଲାଇବେ। ଓଡ଼ିଶା ସ୍ପେସାଲ ଆର୍ମଡ୍ ପୁଲିସ (ଓଏସ୍ଏପି), ଓଡ୍ରାଫ୍, ଆନ୍ଧ୍ର ପୁଲିସ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍ର ୮ଟି ଟ୍ରୁପ୍ ଦ୍ବାରା ପ୍ରଦର୍ଶିତ ପରେଡ୍ର ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ୪୮ଟି କଣ୍ଟିଜେଣ୍ଟ ପରେଡ୍ରେ ସାମିଲ୍ ହୋଇ ଚିତ୍ତାକର୍ଷକ କଳା ପ୍ରଦର୍ଶନ କରିବେ। ଆଜି ରିହର୍ସାଲ୍ ସମୟରେ ପୁଲିସ ଡିଜି ଶ୍ରୀ ଖୁରାନିଆ, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।