୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି ଭଡ଼ା ଘରେ
ରାଜ୍ୟରେ ମୋଟ୍ ୭୪ ହଜାର ୨୨୪ଟି ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟରତ। ସେଥିମଧ୍ୟରୁ ୫୩ ହଜାର ୧୯୪ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ବର୍ତ୍ତମାନ ଭଡ଼ାଘରେ ଚାଲିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭଡ଼ାଗୃହରେ ଚାଲୁଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକର ଭଡ଼ା ବାବଦକୁ ୮୧୮.୧୬ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଅଙ୍ଗନଓ୍ବାଡିଗୁଡିକ ଭଡ଼ା ବାବଦକୁ ୧୫୮୪ .୨୩ ଲକ୍ଷ ଟଙ୍କା ଅନୁମୋଦନ ଦିଆଯାଇଛି। ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତର ଖର୍ଚ୍ଚ ପାଇଁ ୭୮୬.୧୨ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। କଂଗ୍ରେସ ସଦସ୍ୟ ପବିତ୍ର ସାଉଁନ୍ତାଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ୨୩,୪୬୦ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ସୁବିଧା ଦିଆଯାଇଛି। ୩୭,୨୩୨ଟି କେନ୍ଦ୍ରରେ ଟଏଲଟ ସୁବିଧା ଅଛି। ୫୨,୫୯୦ଟି କେନ୍ଦ୍ରରେ ରୋଷେଇଘର ସୁବିଧା ଅଛି। ୧୨,୧୪୦ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସକ୍ଷମ କେନ୍ଦ୍ର ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୭,୨୮୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।